କନକ ବ୍ୟୁରୋ : ସାରା ବିଶ୍ୱର ଚିନ୍ତା ବଢ଼ାଇଲେଣି ଜେନ-ଜି । ସରକାରଙ୍କ ଜନମାରଣ ନୀତିକୁ ବିରୋଧ, ଅଧିକାର ପାଇଁ ରାଜରାସ୍ତାରେ ତାଣ୍ଡବ । ନ୍ୟାୟ ପାଇଁ ହିଂସା ଆଚରଣ କରି ବିଭିନ୍ନ ଦେଶରେ ସରକାରଙ୍କ ନିଦ ହଜାଇ ଦେଲେଣି ଏହି ଯୁବବର୍ଗ । ନେପାଳରେ ଯାହା ଘଟିଲା ତାହା କାହାକୁ ଅଛପା ନାହିଁ । ହେଲେ ଏହି ଜେନ୍-ଜି ପ୍ରଦର୍ଶନ ନେପାଳ ଡେଇଁ ଏବେ ମରକ୍କୋରେ ପହଂଚିଛି । ଜେନ-ଜିଙ୍କ ପ୍ରତିବାଦରେ ମରକ୍କୋରେ ରାଜରାସ୍ତା ଏବେ ହାହାକାର । ମସ୍କୋର ଜେନ-ଜି ୨୧୨ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସୁଧାର ଦାବି କରି ସଡ଼କ ଉପରକୁ ଓହ୍ଲାଇଛନ୍ତି । ୫ ଦିନ ଧରି ଚାଲିଥିବା ଏହି ହିଂସକ ପ୍ରଦର୍ଶନରେ ମରକ୍କୋ ସହର ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରଦର୍ଶନ ଏତେ ଉଗ୍ର ହୋଇଛି ଯେ ପ୍ରଦର୍ଶନକାରୀମାନେ ୧୬୦ ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି । ୨୦୦ ରୁ ଅଧିକ ପୁଲିସ କର୍ମୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ପୁଲିସ ୪୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି । ଜେନ୍-ଜିଙ୍କ ଦାବି ରହିଛି କି, ଯେତେବେଳେ ସରକାର ଫିଫା ବିଶ୍ୱକପ୍ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି, ସେତେବେଳେ ସରକାର ସ୍କୁଲ, ହସ୍ପିଟାଲର ବିକାଶ ପାଇଁ କାହିଁକି ଅନୁଦାନ ଦେଉନାହାନ୍ତି । ଏହାକୁ ନେଇ ପୂରା ଦେଶରେ ଜେନ-ଜି ରାଜରାସ୍ତାରେ ତାଣ୍ଡବ ରଚିଛନ୍ତି । 

Advertisment

ଏସବୁକୁ ନେଇ ମରକ୍କୋ ଗୃହ ମନ୍ତ୍ରଣାଳୟ କହିଛି କି, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁଧାର ଦାବି କରି ଏହି ଆନ୍ଦୋଳନ ଚାଲିଛି । ୫ ଦିନ ଧରି ମରକ୍କୋର ବିଭିନ୍ନ ସହରରେ ଜେନ-ଜିମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଅନଲାଇନରେ ଏକ ଗ୍ରୁପ କରି ଜେନ-ଜି ମାନେ ବିଭିନ୍ନ ସ୍ଥାନରେ ଠୁଳ ହେଉଛନ୍ତି ଓ ହିଂସକ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ପ୍ରଦର୍ଶନକାରୀମାନେ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରୁଛନ୍ତି । ପ୍ରଦର୍ଶନ ବେଳେ ମାରଣାସ୍ତ୍ର ବ୍ୟବହାର କରୁଥିବା କଥା ମସ୍କୋ ସରକାର ଅଭିଯୋଗ କରୁଛନ୍ତି । 

ସାରା ବିଶ୍ୱ ଏବେ ଧନୀକ ଶ୍ରେଣୀଙ୍କ କବଳରେ । ସେମାନେ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବା, ସମ୍ପତ୍ତି ଠୁଳ କରିବା ଆଳରେ ସରକାରଙ୍କୁ ଅଘୋଷିତ ଭାବେ ପରିଚାଳନା କରୁଛନ୍ତି । ଫଳରେ ସରକାର ସାଧାରଣ ଲୋକଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେବା ପରିବେର୍ତ୍ତେ ଧନୀକ ଶ୍ରେଣୀର ଲାଭକୁ ପ୍ରାଧାନ୍ୟ ଦେଉଛନ୍ତି । ଫଳରେ ଆଜିର ଜେନ-ଜି ବା ଯୁବବର୍ଗଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଥିବା ଜାଣିବା ପରେ ଅଧିକାର ପାଇଁ ହିଂସାର ପଥ ଆପଣାନାହାଁନ୍ତି ତ ?