କନକ ବ୍ୟୁରୋ : ବିପଦରେ ଗଞ୍ଜାମ ଆଉ କନ୍ଧମାଳକୁ ଯୋଡ଼ୁଥିବା ଓଡ଼ିଶାର ସବୁଠୁ ବଡ଼ କଳିଙ୍ଗା ଘାଟି । ପ୍ରଶସ୍ତୀକରଣ କାମ ଚାଲୁଥିବା ବେଳେ ଗାର୍ଡ ୱାଲ୍ ଭାଙ୍ଗିଯିବାରୁ ନଷ୍ଟ ହୋଇଛି ରାସ୍ତାର ଅର୍ଦ୍ଧାଧିକ ଅଂଶ । ପ୍ରାକୃତିକ ବିପର୍ଯ୍ୟୟ ନା ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଘଟିଛି ଏଭଳି ଅଘଟଣ । ଭୌଗୋଳିକ ଦୃଷ୍ଟିକୋଣରୁ ରାଜ୍ୟର ମାନ ବଢ଼ାଉଥିବା କଳିଙ୍ଗା ଘାଟି ଏବେ ବିପଦରେ । ଗଞ୍ଜାମ ଆଉ କନ୍ଧମାଳକୁ ଯୋଡୁଥିବା ଏହି ଦୀର୍ଘତମ ଘାଟି ଅର୍ଥନୀତି ଦୃଷ୍ଟିରୁ ମଧ୍ୟ ବେଶ ଗୁରୁତ୍ଵପୂର୍ଣ୍ଣ । ବିଜୟୱାଡ଼ା-ରାଞ୍ଚି କରିଡ଼ର ନାମରେ ଜଣାଶୁଣା ଏହି ରାସ୍ତା ତିନି ରାଜ୍ୟର ସଂଯୋଗ ପଥ । ଏବେ ଏହି କରିଡ଼ରକୁ ଯେମିତି ଲାଗିଯାଇଛି କଳା ନଜର । ଦୁଇ ଦୁଇ ଥର ରାସ୍ତା କାମ ବନ୍ଦ ହେବା, ସାମାନ୍ୟ ବର୍ଷରେ ଗାର୍ଡୱାଲ ଭାଙ୍ଗି ଜେସିବି ଘାଟି ତଳକୁ ଖସିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।  

Advertisment

କଳିଙ୍ଗାଘାଟି ଆରମ୍ଭ ରେ ଥିବା ଅନ୍ଧାରକୋଟିକୁ ଶହଶହ ପର୍ଯ୍ୟଟକ ଆସିଥାଆନ୍ତି । ତେଣୁ ୨୫ କୋଟି ବ୍ୟୟରେ ଘାଟି ରାସ୍ତାର ପ୍ରଶସ୍ତୀକରଣ ଦାୟିତ୍ବ ଏକ ଠିକାସଂସ୍ଥାକୁ ଦିଆଯାଇଥିଲା । ହେଲେ ନିମ୍ନମାନର କାମ ପାଇଁ ପୂର୍ବରୁ ଥରେ ରାସ୍ତା ଧସିଥିଲା । ଏବେ ପୁଣି ଗାର୍ଡ ୱାଲ ଭାଙ୍ଗିଯାଇଛି । ତେଣୁ ୧୦ ଫୁଟ୍‌ ଓସାର ରାସ୍ତାରେ ଚଳପ୍ରଚଳ ହେଉଛି ଶହ ଶହ ଗାଡ଼ି , ଯାହାକି ଅତ୍ୟନ୍ତ ବିପଦ ସଙ୍କୁଳ । ସାମାନ୍ୟ ବର୍ଷାରେ ଯଦି ଏମିତି, ବର୍ଷା ବଢ଼ିଲେ ସ୍ଥିତି କ’ଣ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏତେ ବଡ଼ ଅଘଟଣ ପାଇଁ ଦାୟୀ କିଏ ?
୨୫ କୋଟିର କାମକୁ ଏତେ ଅଣଦେଖା କାହିଁକି ?
ସାମାନ୍ୟ ବର୍ଷାରେ ଯଦି ଏମିତି, ବର୍ଷା ବଢ଼ିଲେ କାମ ହେବ କେମିତି ?
ଘାଟିରାସ୍ତାରେ ଭୂସ୍ଖଳନ ଭଳି ଭୟଙ୍କର ସ୍ଥିତି ସାମ୍ନା କରିବାକୁ ପଡ଼ିବନି ତ?

ଅଘଟଣ ପରେ ଘଟଣାସ୍ଥଳକୁ ଯାଇ ଠିକା ସଂସ୍ଥାକୁ ତାଗିଦ୍ କରିଛନ୍ତି ସ୍ଥାନୀୟ ବିଧାୟକ ଓ ଯନ୍ତ୍ରୀ । ତେବେ ଏହି ତାଗିଦ୍ କେତେ କାମ ଦେବ ଆଉ କେବେ ପ୍ରକଳ୍ପ କାମ ସରିବ । ତା’ ଉପରେ ସମସ୍ତଙ୍କ ନଜର ।