କନକ ବ୍ୟୁରୋ: ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ନିବେଶକ ସମ୍ମିଳନୀରେ ହେଲେ ସାମିଲ । କହିଲେ ୧୩ ଏମଓୟୁ ସ୍ୱାକ୍ଷରିତ, ୧୫ ନିବେଶ ପ୍ରସ୍ତାବ । ରାଜ୍ୟରେ ହେବ ୧ଲକ୍ଷ ୩ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ, ସୃଷ୍ଟି ହେବ ୯୫ ହଜାରରୁ ଅଧିକ ନିଯୁକ୍ତି ।
୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ୩ ଦିନିଆ ଗସ୍ତବେଳେ ସେ ନିବେଶକଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ । ଓଡିଶାକୁ ପୁଞ୍ଜିନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭିଡ ଲାଗିଥିଲା । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଗସ୍ତ ଅବସରରେ ୧୩ଟି ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି । ସମୁଦାୟ ୧ ଲକ୍ଷ ୩ହଜାର ୯୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ରାଜ୍ୟରେ ୯୫ ହଜାର ୯୧୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।