କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ରାମମନ୍ଦିର ନିକଟରୁ ଦୃଷ୍ଟିବାଧିତ ମା’ କୋଳରୁ ଅପହୃତ ହୋଇଥିବା ଶିଶୁକୁ ମାତ୍ର ତିନି ଦିନରେ ଖୋଜି ଆଣିଲା କମିଶନରେଟ୍ ପୋଲିସ। କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟର ହଜାର ହଜାର ଶିଶୁ ଏବେ ବି ନିଖୋଜ ଅଛନ୍ତି। ସେମାନେ କେଉଁଠି ଅଛନ୍ତି, କେମିତି ଅଛନ୍ତି ତାର ହିସାବ କାହା ପାଖରେ ନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। 

Advertisment

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାମମନ୍ଦିର ପାଖରୁ ନିଖୋଜ ଶିଶୁ ଶୁଭମ ମା’ କୋଳକୁ ଫେରିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି । ହେଲେ ପାଖାପାଖି ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମିଳିନି ଯାଜପୁର ବିଂଝାରପୁର ଅଂଚଳରୁ ନିଖୋଝ ଶିଶୁ କନ୍ୟା ପିହୁର ପତ୍ତା । ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା ପିହୁ । ଝିଅକୁ ଖୋଜି ଆଣିବା ପାଇଁ ପିହୁର ମା’ ମୋନାଲିସା । ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି, ସରକାରୀ ଅଫିସ ଓ ଥାନାକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି। ସରକାର ବଦଳିବା ପରେ ଆଶା ରଖିଥିଲେ ଝିଅର ପତ୍ତା ମିଳିବ କିନ୍ତୁ ଫଳ ଶୂନ। 

କେବଳ ପିହୁ ନୁହଁ, ରାଜ୍ୟରେ ଏପରି ହଜାର ହଜାର ଶିଶୁ ଏବେ ବି ନିଖୋଜ। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧୮୫୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏବଂ ଏବେ ବି ୬ ହଜାର ୫ ଶହରୁ ଅଧିକ ଶିଶୁ ନିଖୋଜ ଅଛନ୍ତି।  ଏସବୁ ଭିତରେ ସୁପ୍ରିମକୋର୍ଟ ହସ୍ପିଟାଲରୁ ନବଜାତକ ଚୋରି ହେବା ପ୍ରସଙ୍ଗରେ ବଡ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ସବୁ ରାଜ୍ୟ ପିଲା ଚୋରି ରୋକିବାକୁ ପଦକ୍ଷେପ ନିଅନ୍ତୁ। ବିଶେଷକରି ଯଦି କୌଣସି ହସ୍ପିଟାଲରୁ ନବଜାତକ ଚୋରି ହେଲେ ଏଥିପାଇଁ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ। ପ୍ରଥମ ପଦକ୍ଷେପ ସ୍ବରୂପ ତୁରନ୍ତ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।