କନକ ବ୍ୟୁରୋ : ଉତ୍ତର ଭାରତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟାବହ ବନ୍ୟା ସମ୍ମୁଖୀନ ହୋଇଛି । ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜୁନ୍ ମାସରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅଚାନକ ବନ୍ୟାରେ ଅନେକ ଗାଁ ଭାସିଯିବା ସହ ପାହାଡ଼ିଆ ଅଞ୍ଚଳରେ ଭୀଷଣ କ୍ଷୟକ୍ଷତି ହୋଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ସେନା, ସୀମା ସୁରକ୍ଷା ବାହିନୀ ଏବଂ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ସେହପରି ଦିଲ୍ଲୀରେ ବନ୍ୟା ଯୋଗୁଁ ୧୮,୦୦୦ ଲୋକଙ୍କୁ ୩୫ଟି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଦିଲ୍ଲୀରେ ୭,୨୦୦, ଉତ୍ତର-ପୂର୍ବରେ ୫,୨୦୦ ଓ ଦକ୍ଷିଣ-ପୂର୍ବରେ ୪,୨୦୦ ଲୋକ ରିଲିଫ କ୍ୟାମ୍ପରେ ଅଛନ୍ତି ।
ମୟୂରବିହାରରେ ସର୍ବବୃହତ୍ କ୍ୟାମ୍ପରେ ୧,୩୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ସେପଟେ ଉତ୍ତରାଖଣ୍ଡରେ ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ ମୌସୁମୀ ବିପର୍ଯ୍ୟୟ କାରଣରୁ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ନିଖୋଜ ଅଛନ୍ତି ଏବଂ ୧୧୫ ଆହତ ହୋଇଛନ୍ତି । ରାଜ୍ୟରେ ପ୍ରାୟ ୪ ହଜାର ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ହୋଟେଲ, ଦୋକାନ ଓ ରେଷ୍ଟୁରାଣ୍ଟ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି ।