କନକ ବ୍ୟୁରୋ : ପ୍ରୟାଗରାଜରେ ମହାକୁମ୍ଭ -ମହାମେଳନ । ଅପୂର୍ବ ଆଧ୍ୟାତ୍ମିକ ପରିବେଶ । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ସହ ସାଧୁସନ୍ଥଙ୍କଠାରୁ ଆରମ୍ଭ କରି ସାଧାରଣ ଭକ୍ତ, ସମସ୍ତେ ଅପୂର୍ବ ତିଥିର ସୁଯୋଗ ନେଉଛନ୍ତି। ଗଙ୍ଗା, ଯମୁନା ଓ ସରସ୍ବତୀଙ୍କ ମିଳନ ସ୍ଥଳ ତ୍ରିବେଣୀ ସଂଗମଠାରୁ ଆରମ୍ଭ କରି ବିସ୍ତୀର୍ଣ୍ଣ ତଟରେ ଭୋରରୁ ଆରମ୍ଭ ହୋଇଛି ସାହିସ୍ନାନ ବା ଅମୃତ ସ୍ନାନ । ପ୍ରଥମେ  ସାଧୁସନ୍ଥମାନେ ବୁଡ଼ ପକାଇଥିଲେ। ଭୋର୍ ୫ଟାରୁ ବୁଡ଼ ଆରମ୍ଭ ହୋଇଥିଲା। ଦେଶର ବିଭିନ୍ନ ଭାଗରୁ ଆସିଥିବା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ବୁଡ଼ ପକାଇଥିଲେ। 

Advertisment

ଖଣ୍ଡା, ତ୍ରିଶୂଳ, ଡମ୍ବରୁ ଧରି ପହଞ୍ଚିଥିଲେ ନାନା ସାଧୁ। ହର ହର ମହାଦେବ ଏବଂ ଅନ୍ୟ ଆଧ୍ୟାତ୍ମିକ ଧ୍ବନିରେ ପରିବେଶ ମୁଖରିତ ହେଉଛି। ପ୍ରବଳ ଶୀତ ସତ୍ତ୍ବେ କାହାରି ଖାତିର ନାହିଁ। ଭବ୍ୟ-ଦିବ୍ୟ ଅନୁଭବ ପାଇଁ ମହାକୁମ୍ଭରେ ପହଞ୍ଚୁଛନ୍ତି ସାଧୁସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଛି ଏହି ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ସମାବେଶ। ଭାରତର ବିଭିନ୍ନ ସ୍ଥାନ ସମେତ ବିଦେଶରୁ ମଧ୍ୟ ଲୋକଙ୍କର ପ୍ରବଳ ସମାଗମ ହୋଇଛି। 

ଏସିଆ ମହାଦେଶ ସମେତ ଆମେରିକା, ୟୁରୋପ ଓ ଆଫ୍ରିକା ମହାଦେଶରୁ ମଧ୍ୟ ଲୋକମାନେ ସଙ୍ଗମ ସ୍ଥଳକୁ ଆସିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କଡ଼ା ନିରାପତ୍ତା ବ୍ୟବସ୍ଥା କରିଛି ପ୍ରଶାସନ । କୌଣସି ପ୍ରକାର ବିଶୃଙ୍ଖଳା ଏଡାଇବାକୁ ପଦକ୍ଷେପ ନିଆଯାଇଛି।  ନଜର ରଖିଛି ଏଆଇ କ୍ୟାମେରା । ଗତକାଲିଠାରୁ ଆରମ୍ଭ ହୋଇଥିବା  ମହାକୁମ୍ଭ ମହାଶିବରାତ୍ରୀ ପର୍ୟ୍ୟନ୍ତ ୪୫ ଦିନ ଧରି ଚାଲିବ ।