କନକ ବ୍ୟୁରୋ: ଗୋଟିଏ ପଟେ ଛତିଶଗଡରୁ ମାଓବାଦୀ ମାନେ ଏବେ ଓଡିଶା ମୁହାଁ ହବା ଲାଗି ଉଦ୍ୟମ ଚଳାଇଛନ୍ତି। ଅନ୍ୟପଟେ ଲାଲବାହିନୀଙ୍କ ଓଡିଶା ଅନୁପ୍ରବେଶ ଉଦ୍ୟମକୁ ରୋକିବାକୁ ଅଭିଯାନ ଜାରି ରଖିଛି ଡିଭିଏଫ ଓ ଏସଓଜି ଯବାନ । ଓଡିଶା ଛତିଶଗଡ ସୀମାବର୍ତୀ ଜିନେଲଗୁଡା ଗାଁ ରେ ଗତ କାଲି ବିଳମ୍ବମିତ ରାତିରେ ଘଟି ଥିବା ଏନକାଉଣ୍ଟରରେ ଜଣେ ମାଓବାଦୀ ପ୍ରାଣ ହରାଇ ଥିବା ବେଳେ ୩୦ ରୁ ଉର୍ଧ ମାଓବାଦୀ ଛତ୍ରଭଙ୍ଗ ଦେଇ ଆରପାଟକୁ ଚାଲି ଯାଇଛନ୍ତି । ତେବେ ଏହି ଘଟଣାରେ ଆହତ ଜଣେ ଡିଭିଏଫ ଯବାନଙ୍କୁ ଏୟାରଲିଫ୍ଟ କରି ବିଶାଖାପାଟଣା ସ୍ଥାନାନ୍ତରିତ କରା ଯାଇଛି । 

Advertisment

ଓଡିଶା ମୁହାଁ ଛତିଶଗଡି ମାଓବାଦୀ । ଓଡିଶାରେ ପଡିଶା ମାଓବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । କିଛି ବର୍ଷର ନିରବତା ପରେ ମାଲାକନଗିରିରେ ଫୁଟିଲା ଗୁଳି । ପ୍ରାୟ ୩ ବର୍ଷ ପରେ ମାଲାକନଗିରି ଜିଲ୍ଲାରେ ମୁହାଁ ମୁହିଁ ହୋଇଛନ୍ତି ଯବାନ ଓ ମାଓବାଦୀ । ବୁଧବାର ବିଳମ୍ବିତ ରାତିରେ ଛତିଶଗଡରୁ ୩୦ରୁ ଅଧିକ ମାଓବାଦୀ ଏମଭି ୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଘାଟ ଦେଇ ଓଡିଶା ସୀମାବର୍ତ୍ତୀ ଗାଁରେ ପ୍ରବେଶ କରୁଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ । ବିଳମ୍ବିତ ରାତିରେ ଜିନେଲଗୁଡା ଗାଁର ବିଭିନ୍ନ ସ୍ଥାନରେ ସାବେରୀ ନଇ କୁଳରେ ଅମ୍ବୁଶ ଲଗାଇ ଜଗି ବସିଥିଲେ ଡିଭିଏଫ ଯବାନ ଓ ଆଉଟର କର୍ଡନରେ ଜଗି ଥିଲେ ବିଏସଏଫ ଯବାନ ।

ରାତି ପ୍ରାୟ ୨ଟା ୩୦ ମିନିଟ । ମୋଟର ଡଙ୍ଗାରେ ଆସି ଥିଲେ ୩୦ ମାଓବାଦୀ । ମିଳି ଥିବା ସୁଚନା ଅନୁସାରେ ଛତିଶଗଡ ଏରାବୋର ପଟରୁ ୩୦ରୁ ଅଧିକ ମାଓବାଦୀ ୨ଟି ମୋଟର ଡଙ୍ଗାରେ ସାବେରୀ ନଇ ପାର ହେଉଥିଲେ ପ୍ରଥମ ଡଙ୍ଗା ପାର ହେବା ମାତ୍ରେ ଡିଭିଏଫ ଯବାନଙ୍କ ସହ ମୁହାଁ ମୁହିଁ ହୋଇ ଥିଲେ ମାଓବାଦୀ । ଆଉ ଏହି ଘଟଣାରେ ଜଣେ ମାଓବାଦୀ ପ୍ରାଣ ହରାଇ ଥିବା ବେଳେ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇ ଚାଲି ଯାଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ଡିଭିଏଫ ଯବାନ ଡମ୍ବରୁ ବଡନାୟକ ମାଓ ଗୁଳିରେ ଆହତ ହୋଇଛନ୍ତି । ଡମ୍ବରୁଙ୍କ ଅଣ୍ଟା ତଳେ ଗୁଳି ବାଜି ଥିବା ବେଳେ ତାଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରା ଯାଇ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇଛି । 

ସୁରକ୍ଷିତ ସ୍ଥାନ ସନ୍ଧାନରରେ ମାଓବାଦୀ । ଛତିଶଗଡରେ ମାଓ ଶିବିର ଉପରେ ବାରମ୍ବାର ଆକ୍ରମଣ କରା ଯାଉ ଥିବା ବେଳେ ୨୦୨୬ ମାର୍ଚ ସୁଧା ପୁରା ଦେଶକୁ ମାଓମୁକ୍ତ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରୀ ଆହ୍ବାନ ଦେଇ ଥିବାରୁ ଏବେ ଛତିଶଗଡରେ ଆକ୍ସନ ମୋଡରେ ଯବାନ । ଗତ ୧୦ମାସରେ ୨୦୦ରୁ ଅଧିକ ମାଓବାଦୀଙ୍କୁ ନିପାତ କରା ଯାଇଥିବା ବେଳେ ପ୍ରତିଦିନ ବଡ ବଡ କ୍ୟାଡର ମାଓବାଦୀ ସଙ୍ଗଠନ ଛାଡି ଖସି ପଳାଉଛନ୍ତି । ଏଭଳି ସ୍ଥିତିରେ ଅନେକ ମାଓବାଦୀ ଏବେ ପଡୋଶୀ ଜିଲ୍ଲା ମାନଙ୍କରେ ସୁରକ୍ଷିତ ଠିକଣା ସନ୍ଧାନ କରିବାରେ ଲାଗିଛନ୍ତି ।