କନକ ବ୍ୟୁରୋ: ଚର୍ଚ୍ଚାରେ ସାଢ଼େ ୩ କୋଟିର ପୋଖରୀ ପୁନରୁଦ୍ଧାର କାର୍ଯ୍ୟ । ଝାରସୁଗୁଡ଼ା ସରବାହାଲ ପୋଖରୀ ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି ଅଭିଯୋଗ । ଯେତିକି ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି, ସେତିକି  କାମ ଦେଖାଯାଉନାହିଁ । 
 
ଝାରସୁଗୁଡ଼ା ସହରର ବହୁ ପୁରାତନ ସରବାହାଲ ପୋଖରୀ । ବିଜୁ ଏକ୍ସପ୍ରେସ୍ ୱେ’କୁ ଲାଗି ରହିଥିବା ଏହି ପୋଖରୀ ଉପରେ ନିର୍ଭରଶୀଳ ସରବାହାଲ, ପଣ୍ଡିପଥର, ସାରସମାଲର ଲୋକେ । ୨୦୧୯ରେ ପୋଖରୀ ପୁନଃରୁଦ୍ଧାର ପାଇଁ ୨ କୋଟି ୨୮ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ପରେ ୨୦୨୦ରେ ଏହି ଅର୍ଥରାଶି ୩ କୋଟି ୮୪ ଲକ୍ଷ ୮୭ ହଜାର ଟଙ୍କାକୁ ବଢ଼ାଗଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ, ବୃକ୍ଷରୋପଣ, ଚେଞ୍ଜିଂ ରୁମ୍ ଯୋଜନା ଥିଲା । ୨୦୨୦ରୁ ୨୪ ମଧ୍ୟରେ ପୋଖରୀ କାମ କେବଳ କିଛି ପାହାଚ ନିର୍ମାଣ ସୀମିତ ରହିଯାଇଥିବା ଅଭିଯୋଗ ହୋଇଛି । କିଛି ମିଟର ପଥର ପ୍ୟାକିଂ କରାଯାଇଥିବା ବେଳେ ଆଲୋକୀକରଣ ବ୍ୟବସ୍ଥା ନାହିଁ । ସଠିକ ଭାବେ ଦଳ ଓ ମାଟି କଢ଼ା ଯାଇନଥିବାରୁ ପୋଖରୀର ଅଧିକାଂଶ ଅଂଶ ଶୁଖିଲା ପଡ଼ିଛି ।

Advertisment

ପୋଖରୀକୁ ରାସ୍ତା ନିର୍ମାଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ୫୦୦ ମିଟର କଂକ୍ରିଟ ରାସ୍ତା ହୋଇଛି । ଏତିକିରେ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ଶେଷ ହୋଇଯାଇଥିବା ଜଣାପଡ଼ିଛି । କେବଳ ପାହାଚ ନିର୍ମାଣରେ କ'ଣ ସାଢ଼େ ୩କୋଟି ଟଙ୍କା ଖର୍ଚ୍ଚ ହୋଇଗଲା ? ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି । ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି । ତେବେ ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ।