କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା କଥା ସ୍ୱୀକାର କରିଛନ୍ତି ସରକାର । ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ଚିତ୍ର ଉପସ୍ଥାପନ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସମଗ୍ର ରାଜ୍ୟରେ ମୋଟ ୭୪,୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ତେବେ ଦୁଃଖର ବିଷୟ ହେଉଛି, ସେଥିମଧ୍ୟରୁ ୨୦,୧୫୦ଟି କେନ୍ଦ୍ରର ନିଜସ୍ୱ କୋଠା ବା ଗୃହ ନାହିଁ । ନିଜସ୍ୱ ଘର ନଥିବାରୁ ଏହି କେନ୍ଦ୍ରଗୁଡ଼ିକ ବିଭିନ୍ନ ଅସ୍ଥାୟୀ ବ୍ୟବସ୍ଥା ମଧ୍ୟରେ ପରିଚାଳିତ ହେଉଛି । ତଥ୍ୟ ମୁତାବକ, ୩,୮୯୦ଟି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ, ୧୦,୪୬୯ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ ଏବଂ ୪,୫୭୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରେ ଚାଲୁଛି ।
ଅଧିକ ପଢ଼ନ୍ତୁ--ଇଣ୍ଡିଗୋ ସଙ୍କଟକୁ ନେଇ ରେଲୱେର ବଡ଼ ନିଷ୍ପତ୍ତି : ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟ୍ରେନ୍ ସୁବିଧା
ତେବେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଗୃହହୀନ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି । ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କା ହିସାବରେ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମତୀ ପରିଡ଼ା ଗୃହକୁ ଅବଗତ କରାଇଛନ୍ତି ।
ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟଧାରାରେ ସ୍ୱଚ୍ଛତା ଆଣିବା ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ‘AWSOME’ ଆପ୍ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ତଦାରଖ କରାଯାଉଛି। ବିଭାଗୀୟ ସୂଚନା ଅନୁଯାୟୀ, କେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କିପରି କାର୍ଯ୍ୟ ଚାଲିଛି, ତାହାର ବାସ୍ତବ ଚିତ୍ର ଜାଣିବା ପାଇଁ ଏହି ଆପ୍ର ସହାୟତା ନିଆଯାଉଛି । ଏଥିରେ କେନ୍ଦ୍ରର 'ଜିଓ ଟ୍ୟାଗ୍' ଫଟୋ ଅପଲୋଡ଼ କରାଯିବାର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ବିଭାଗ ସିଧାସଳଖ କାର୍ଯ୍ୟର ମାନ ଯାଞ୍ଚ କରିପାରିବ ।
ଅନ୍ୟପକ୍ଷରେ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ 'ସକ୍ଷମ ଅଙ୍ଗନବାଡ଼ି' ଯୋଜନା ହାତକୁ ନିଆଯାଇଛି । ଯେଉଁ କେନ୍ଦ୍ରଗୁଡ଼ିକର ନିଜସ୍ୱ ଘର, ବିଜୁଳି ଏବଂ ପାଣିର ସୁବିଧା ଉପଲବ୍ଧ ଅଛି, ସେଗୁଡ଼ିକୁ 'ସକ୍ଷମ ଅଙ୍ଗନବାଡ଼ି' ଭାବେ ଘୋଷଣା କରାଯିବ । ରାଜ୍ୟର ମୋଟ ୧୨,୧୪୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ସକ୍ଷମ ଅଙ୍ଗନବାଡ଼ି ପାଇଁ ଆର୍ଥିକ ସହାୟତା:
ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ମୋଟ ୮୪,୦୦୦ ଟଙ୍କା ଯୋଗାଇ ଦିଆଯାଉଛି । ଏହି ଅର୍ଥରାଶିର ବିନିଯୋଗ ହେବ:
• LED ଟିଭି ପାଇଁ: ୨୫,୦୦୦ ଟଙ୍କା
• ଆରୋ (RO) ମେସିନ୍ ପାଇଁ: ୧୦,୦୦୦ ଟଙ୍କା
• ପୋଷଣ ବାଟିକା ପାଇଁ: ୧୦,୦୦୦ ଟଙ୍କା
• ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ: ୩୯,୦୦୦ ଟଙ୍କା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/06/anganwadi-2025-12-06-12-00-32.jpg)