Photograph: (KANAKNEWS)
କନକବ୍ୟୁରୋ : ଉତ୍ତର ଭାରତ ପ୍ରବଳ ଶୀତରେ ଥରୁଛି । ଏପରି ସ୍ଥଳେ ଜମ୍ମୁ-କଶ୍ମୀରର ସୀମା କୁହୁଡ଼ି ଏବଂ ତୁଷାରପାତରେ ଆଚ୍ଛାଦିତ ରହିଛି । ପ୍ରତିକୂଳ ପାଗ ସ୍ଥିତିର ସାହାରା ନେଇ ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ରହିଛନ୍ତି । ତେବେ ଅପରେସନ୍ କୋଲ୍ଡ ୱିଣ୍ଡ୍ ତଥା ସୁଦୃଢ଼ ଅନୁପ୍ରବେଶ ବିରୋଧୀ ଗ୍ରୀଡ୍ ଓ ସୁରକ୍ଷା ବାହିନୀଙ୍କର ସତର୍କତା ମୂଳକ ପଦକ୍ଷେକ ସେମାନଙ୍କର ଯୋଜନାକୁ ପଣ୍ଡ କରୁଛି ।
ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍ଓସି) ରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହିତ ଚେକ୍ ପଏଣ୍ଟ ଏବଂ ବୈଷୟିକ ନିରୀକ୍ଷଣ ମାଧ୍ୟମରେ ଆତଙ୍କବାଦୀଙ୍କ ଯେକୌଣସି ପ୍ରକାରର ଷଡ଼ଯନ୍ତ୍ରର ମୁକାବିଲା କରିବାକୁ ସୁରକ୍ଷାକର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି । ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ପକ୍ଷରୁ ଅନ୍ତର୍ଜାତୀୟ ସୀମା ଏବଂ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଅପରେସନ୍ କୋଲ୍ଡ ୱିଣ୍ଡ୍ ଆରମ୍ଭ କରାଯାଇଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ଯବାନମାନଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରୁଛନ୍ତି ।
ନିୟନ୍ତ୍ରଣ ରେଖା ଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ୬୯ଟି ଲଞ୍ଚିଂ ପ୍ୟାଡ୍ରେ ୧୫୦ ରୁ ଅଧିକ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିଛି । ଜମ୍ମୁ-କଶ୍ମୀରରେ ଏକ ସୁରକ୍ଷିତ ଗଣତନ୍ତ୍ର ଦିବସ ପାଳନକୁ ସୁନିଶ୍ଚିତ କରିବା ପାଇଁ ସେନା, ସୁରକ୍ଷା ବାହିନୀ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅପରେସନରେ ପରପସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ଉତ୍ତର କମାଣ୍ଡର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ଉତ୍ତର କଶ୍ମୀରର ନିୟନ୍ତ୍ରଣ ରେଖା ପରିଦର୍ଶନ କରିଛନ୍ତି ।
ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ସେନା କମାଣ୍ଡର ପ୍ରତୀକ ଶର୍ମା ସ୍ଥାନୀୟ ୟୁନିଟ୍ଗୁଡ଼ିକୁ ସେମାନଙ୍କର ଗୁଇନ୍ଦା ବିଭାଗକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଇନ୍ଦା ରିପୋର୍ଟଗୁଡ଼ିକରେ ଜମ୍ମୁର କାଠୁଆ ଜିଲ୍ଲାରେ ଆତଙ୍କବାଦୀ ଗତିବିଧି ଜାରି ରହିଥିବା ଉଲ୍ଲେଖ କରାଯାଇଛି । ରଣନୀତିର ଅଂଶ ସ୍ୱରୂପ, ସେନା ନିୟନ୍ତ୍ରଣ ରେଖା ନିକଟ ସହିତ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାରମ୍ପରିକ ପଥ ଭାବରେ କାର୍ଯ୍ୟ କରୁଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି ।
ସୂତ୍ର ଅନୁସାରେ ସେନା କମାଣ୍ଡର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଖୁବ୍ ଶୀଘ୍ର ରାଜୌରୀ ଗସ୍ତ କରିବେ । ସେନା କମାଣ୍ଡର ଗୁଲମାର୍ଗର ହାଇ ଅଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲରେ ଯବାନଙ୍କ ତାଲିମ କାର୍ଯ୍ୟକଳାପର ସମୀକ୍ଷା ମଧ୍ୟ କରିଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ସେ କଶ୍ମୀରରେ ଥିବା ସେନାର ବିମାନ ଚଳାଚଳ ସ୍କ୍ବାଡ୍ରନ ପରିଦର୍ଶନ କରିଛନ୍ତି ।
ଜଣେ ସେନା ଅଧିକାରୀ କହିଛନ୍ତି, ସେନା ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କ ଉପରେ ଚାପ ପକାଇବା ପାଇଁ ଏକ ରଣନୀତି ଉପରେ ଭିଳିତ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସୀମାରେ ଅନୁପ୍ରବେଶ ରୋକିବା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀ ଏବଂ ଦେଶ ବିରୋଧୀ ତତ୍ତ୍ୱମାନଙ୍କ ବିଷୟରେ ଯେକୌଣସି ସୂଚନା ମିଳିଲେ ତାହା ସେୟାର କରାଯାଉଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
Follow Us