କନକ ବ୍ୟୁରୋ: ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡାକ୍ତର ଓ ପୋଲିସର ଅଭାବ। ଯାହା ଉତ୍ତମ ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଛି। ସେପଟେ ବିଧାନସଭାରେ ଫାଙ୍କା ପଡିଥିବା ପଦବୀକୁ ନେଇ ସରକାରଙ୍କ ଉତ୍ତର ଆସିବା ପରେ ତେଜିଛି ରାଜନୀତି।
- ଢିଲା ଚିକିତ୍ସା, ହୁଗୁଳା ସୁରକ୍ଷା!
- ବିଧାନସଭାରେ ଆସିଲା ବିକଳ ଚିତ୍ର
ବେକାରୀ ଓ ଦାଦନ ସମସ୍ୟାରେ ଯୁଝି ହେଉଥିବା ଓଡ଼ିଶା ଏବେ ଡାକ୍ତର ଓ ପୋଲିସର ଅଭାବ ପାଇଁ ଛଟପଟ ହେଉଛି। ଲୋକଙ୍କ ଚିକିତ୍ସା ପାଇଁ ନା ଆବଶ୍ୟକୀୟ ଡାକ୍ତର ଅଛନ୍ତି ନା ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ରହିଛନ୍ତି। ହଜାର ହଜାର ସଂଖ୍ୟାରେ ପଦବୀ ଫାଙ୍କା ପଡିଥିଲେ ମଧ୍ୟ କାହାର ନିଘା ନାହିଁ। ପୂର୍ବ ସରକାରରେ ଡାକ୍ତର ଅଭାବର ଯେଉଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ନୂଆ ସରକାର ତାହାକୁ ଏ ଯାଏଁ ପୂରା କରିବାକୁ ଅକ୍ଷମ। ଅପରାଧ ହ୍ରାସ ଉପରେ ଜୋର ଦିଆଯାଉଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କ ଅଭାବ ଏ ଦିଗରେ ବଡ ଅନ୍ତରାୟ ସୃଷ୍ଟି କରିଛି।
ବିଧାନସଭାରେ ସରକାରଙ୍କ ଉତ୍ତର
- ରାଜ୍ୟରେ ୧୩୩୭୩ ପୋଲିସ ପଦବୀ ଫାଙ୍କା ପଡିଛି
- ଜେଲରେ ୮୬୨ ପଦବୀରେ ନାହାନ୍ତି କର୍ମଚାରୀ
- ରାଜ୍ୟରେ ୫ ହଜାର ୧୪ଟି ଡାକ୍ତର ପଦବୀ ଖାଲି
- ୧୧୧୪ ଜଣ ସ୍ପେଶାଲିଷ୍ଟ ଡାକ୍ତର ଅଭାବ ପାଇଁ ଧନ୍ଦି ହେଉଛି ସ୍ବାସ୍ଥ୍ୟ ବିଭାଗ
ବିଧାନସଭାରେ ଏ ଉତ୍ତର ଆସିବା ପରେ ମୋହନ ସରକାରକୁ ଘେରିଛନ୍ତି ବିରୋଧୀ। ନିଜକୁ ଶିଶୁ ବୋଲି କହି କେତେଦିନ ସରକାରକୁ ସୁରକ୍ଷା ଦେବେ ବୋଲି କଟାକ୍ଷ କରିଛି ବିଜେଡି । କଂଗ୍ରେସ କହିଛି, ଲୋକ ଦେଖାଣିଆ ଖର୍ଚ୍ଚ ନ କରି ଆଗ ଖାଲି ପଡିଥିବା ପଦବୀ ପୂରଣ କରୁ ସରକାର।
ବିରୋଧୀ ମାରିଥିବା ବାଣକୁ ପ୍ରତିହତ କରିବାକୁ ପୁଣିଥରେ ଉତ୍ତରାଧିକାରୀ ନାରାକୁ ଆପଣାଇଛି ଶାସକ ଦଳ। ୨୪ ବର୍ଷର ସରକାରରେ ଥିବା ବିଜେଡି ମୁଣ୍ଡରେ ଏଥିପାଇଁ ଅଠା ବୋଳିଛି ବିଜେପି। ଅନ୍ୟପଟେ ନିଯୁକ୍ତି ନଦେଇ ମୋହନ ସରକାର କେବଳ ମିଛର ସାହାରା ନେଉଛନ୍ତି ବୋଲି କହିଛନ୍ତି ଯୁବବର୍ଗ।
ନିଯୁକ୍ତି ବନ୍ଦ ହେବା ପଛରେ ଅର୍ଥ ଅଭାବ ରହିଛି ନା ପ୍ରଶାସନିକ ଉଦାସୀନତା। ବିଭିନ୍ନ ଯୋଜନା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ତତ୍ପରତା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଡାକ୍ତର ଓ ପୋଲିସ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ପୂରଣ କାହିଁକି ବିଳମ୍ବିତ ହେଉଛି ? ତାହା ଏବେ ସବୁଠୁ ବଡ ପ୍ରଶ୍ନ।