କନକ ବ୍ୟୁରୋ: ବର୍ଷା ହେଲେ ଆଉ ପୁରୀ ସହରର ରାସ୍ତାରେ ଘଣ୍ଟାଘଣ୍ଟା ଧରି ପାଣି ଜମିବ ନାହିଁ। ଏଥିପାଇଁ କାମ ଆରମ୍ଭ ହୋଇଛି । ପୌରପାଳିକା ପକ୍ଷରୁ ସବୁ ଡ୍ରେନ୍ ଓ ରାସ୍ତାର କରାଯାଇଛି ଟପୋଗ୍ରାଫିକାଲ ସର୍ଭେ । ଏହି ରିପୋର୍ଟ ଆଧାରରେ ସହରରୁ ତ୍ବରିତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରାଯିବ । 

Advertisment

ବର୍ଷା ହେଲେ ପୁରୀ ସହରର ତଳିଆ ଅଞ୍ଚଳରେ ପାଣି ଜମିଯାଏ । ଏପରିକି ବଡ଼ଦାଣ୍ଡ ବି ବାଦ୍ ପଡ଼େନି। କିଛି ଅଞ୍ଚଳରେ ନାଳ ଭର୍ତ୍ତି ହୋଇ ଘର ଭିତରକୁ ପାଣି ପଶିଯାଏ । ଡ୍ରେନ୍ ନିୟମିତ ସଫା ହେଉ ନଥିବାରୁ ବର୍ଷାଜଳ ସମସ୍ୟା ଆହୁରି ବଢୁଛି । ତେବେ ରାସ୍ତା ଓ ଡ୍ରେନରୁ ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ  କରଯାଇଛି ଟୋପୋଗ୍ରାଫିକାଲ  ସର୍ଭେ। ଏହି ଅନୁସାରେ କାମ ହେଲେ ସହରରେ ବର୍ଷାଜଳ ସମସ୍ୟା ରହିବ ନାହିଁ। ପୁରୀ ସହରବାସୀ ଏହାକୁ ସ୍ବାଗତ କରିଛନ୍ତି ।

ପୁରୀ ସହରରେ ୩୭୨ କିଲୋମିଟର ରାସ୍ତା  ଓ ୩୦୪ କିଲୋମିଟର ଡ୍ରେନ୍ ଥିବା ବେଳେ  ଦିନକୁ ଦିନ ଏହା ବଢ଼ି ଚାଲିଛି । ଡ୍ରେନରେ ଠିକ୍‌ ଭାବେ ଜଳ ନିଷ୍କାସନ ନେଇ ଟପୋଗ୍ରାଫିକାଲ ସର୍ଭେରେ କର୍ତ୍ତୃପକ୍ଷ  ଗୁରୁତ୍ବ ଦେଇଛନ୍ତି । ସର୍ଭେ ରିପୋର୍ଟ ଆଧାରରେ ଡ୍ରେନ ଓ ରାସ୍ତା ମରାମତି କରାଯିବ। ବାରମ୍ବାର ରାସ୍ତା ଓ ଡ୍ରେନ୍ ମରାମତି କରିବାକୁ ପଡ଼ିବ ନାହିଁ। ଡ୍ରେନ୍ ଜାମ୍ ହେଉଥିବା ସ୍ଥାନ ଚିହ୍ନଟ କରି ପରିଷ୍କାର କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଡ୍ରେନ୍ ଓ ରାସ୍ତାର ଟପୋଗ୍ରାଫିକାଲ ସର୍ଭେ ରିପୋର୍ଟ ଆଧାରରେ କାମ କରି କେବେ ତ୍ବରିତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରାଯିବ, ତାକୁ ପୁରୀ ସହରବାସୀ ଅପେକ୍ଷା କରିଛନ୍ତି ।