କନକ ବ୍ୟୁରୋ : ସମୟ ଥିଲା ଯେତେବେଳେ କନ୍ୟା ପାଇଁ ବରପାତ୍ର ଠିକ୍ କରାଯାଉଥିଲା, କନ୍ୟା ମନରେ ବଡ଼ ସନ୍ଦେହ ରହୁଥିଲା, ସ୍ୱାମୀ କେମିତିକା ଲୋକ ହୋଇଥିବ, ଶାଶୂଘର ଲୋକେ କେମିତି ହୋଇଥିବେ ? ମୋ ସଂସାର ସୁଖରେ ଚାଲିବ ତ ? ହେଲେ ସମୟ ବଦଳିଛି ତା ସହିତ ନାରୀର ମାନସିକତା ବଦଳିଛି । ଆଉ ମହିଳାଙ୍କ ଭିତରେ ବଦଳୁଥିବା ଏହି ମାନସିକତା ଏବେ କିଛି ସ୍ୱାମୀଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ହୃଦୟ ବିଦାରକ ଘଟଣା ଯାହାର ସଦ୍ୟ ଉଦାହରଣ ।
ସଂସାରକୁ ସୁଖରେ ରଖିବି, ସ୍ତ୍ରୀ ପିଲାଙ୍କ ଆବଶ୍ୟକତା ପୂରଣ କରିବି ଆଉ ବାକି ଜୀବନ ନିଜକୁ କଷ୍ଟକୁ ଦେଇ ସେମାନଙ୍କର ଆଶା ଅଭିଳାଶ ପୂରଣ କରିବି । ଏହା ପ୍ରତିଟି ସ୍ୱାମୀର ଲକ୍ଷ୍ୟ । ହେଲେ ଉତ୍ତରପ୍ରଦେଶ ମୁରାଦାବାଦରେ ଜଣେ ପତ୍ନୀ ସମ୍ପତ୍ତି ଲୋଭରେ ନିଜ ସ୍ୱାମୀଙ୍କୁ ବୀଭତ୍ସ ହତ୍ୟା କରିବା ଘଟଣା ଏବେ ପୂରା ଜନମାନସରେ ଚାଞ୍ଚଲ୍ୟ ଖେଳାଇ ଦେଇଛି, ଆଉ ସ୍ୱାମୀ ମାନଙ୍କୁ ପୁଣି ଥରେ ଭାବିବାକୁ ବାଧ୍ୟ କରିଛି । ଆଉ ଏହି ହତ୍ୟା କରିବାରେ ରୀନାଙ୍କୁ ସହାୟତା କରିଥିଲା ପୁରୁଷ ବନ୍ଧୁ । ସ୍ୱାମୀଙ୍କୁ ହତ୍ୟା କରିବା ପରେ ପୁରୁଷ ବନ୍ଧୁଙ୍କ ସହ କାରରେ ସ୍ୱାମୀଙ୍କ ମୃତଦେହ ରଖି କିଛିଦିନ ବୁଲାବୁଲି କରିବା ପରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲା ।
ସୂଚନା ମୁତାବକ ଉତ୍ତରପ୍ରଦେଶ ମୁରାଦାବାର ସଭିଲ ଲାଇନ୍ସରେ ଥିଲା ପର୍ସ କଲୋନୀରେ ରବିନ୍ଦ୍ର ନିଜ ପତ୍ନୀ ରୀନାଙ୍କ ସହ ରହୁଥିଲେ । ରୀନା ବୃତ୍ତିରେ ଜଣେ ଫିଜିଓଥେରାପିଷ୍ଟ । ତାଙ୍କର ଅନ୍ୟଜଣେ ପୁରୁଷ ପରିତୋଷଙ୍କ ସହ ଅନୈତିକ ସଂପର୍କ ରହିଥିଲା । ରବିନ୍ଦ୍ର ନିଜର ଘରକୁ ବିକ୍ରି କରିବାକୁ ଚାହୁଁଥିଲେ । ତା ପୂର୍ବରୁ ରୀନା ପରିତୋଷଙ୍କ ସହ ମିଶି ରବିନ୍ଦ୍ରଙ୍କୁ ହତ୍ୟା କରିଦେଲା ।
ପୁଲିସର କହିବା ମୁତାବକ ରୀନା ଓ ପରିତୋଷ ରବିନ୍ଦ୍ରଙ୍କୁ ପରିତୋଷର ଘରକୁ ଡାକି ସେଠାରେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାପରେ କିଛିଦିନ ରବିନ୍ଦ୍ରଙ୍କ ଶବକୁ କାରରେ ରଖି ଉଭୟ ବୁଲାବୁଲି କରିଥିଲେ ଓ ଶେଷରେ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ହେଲେ କେହି ଏହି ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ପୁଲିସ ଶବ ଜବତ କରିବା ସହ ଶବ ଚିହ୍ନଟ କରିଛି ।