କନକ ବ୍ୟୁରୋ : ଅନାହାରରେ ମଣିଷ । ଏ କାହାଣୀ ଅନେକବାର ଶୁଣିଥିବେ । କିନ୍ତୁ ଏବେ ଓଡ଼ିଶାରେ ଅନାହାରରେ ଯୁଝି ହେଉଛନ୍ତି ଗଜରାଜ । କାରଣ ବି ବଡ଼ ବିଚିତ୍ର । ଜଙ୍ଗଲ କମୁଥିବା ବେଳେ ହାତୀଙ୍କ ସଂଖ୍ୟା ବଢୁଛି । ଖାଦ୍ୟ ଅଭାବରୁ ଜଙ୍ଗଲରୁ ଜନବସତି ମୁହାଁ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ହାତୀ । ଏବେ ଏହି ଅନାହାରକୁ ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

Advertisment

୪୮ ଘଣ୍ଟା ତଳେ ଜଙ୍ଗଲ ପରିବେଶ ମନ୍ତ୍ରୀ ୫୦ ହାତୀ ମୃତ୍ୟୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାସେ ମଧ୍ୟରେ ତଦନ୍ତ ରିପୋର୍ଟ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ କହିବା ପରେ ପଶୁପ୍ରେମୀ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ହାତୀଙ୍କୁ ନେଇ ଏବେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
୨ ଦଶନ୍ଧି ତଳେ ଅନାହାରରେ ଧନ୍ଦି ହେଉଥିଲା ଓଡ଼ିଶା । ଟଙ୍କିକିଆ ଚାଉଳ ଦେଇ ଅନାହାରକୁ ରୋକିବାକୁ ପ୍ରୟାସ ହୋଇଥିଲା । ଆଉ ଏବେ ଅନାହାର ପାଇଁ ଡହଳବିକଳ ଗଜରାଜ । ଜଙ୍ଗଲରେ ଖାଇବାକୁ ମିଳୁନି, ଜନବସତି ମୁହାଁ ହୋଇ ଜୀବନ ହାରୁଛନ୍ତି ହାତୀ । ଗଜରାଜଙ୍କ ଏହି ଦୁର୍ଦ୍ଦିନ ପଛରେ ପରୋକ୍ଷରେ ମଣିଷ ହିଁ ଦାୟୀ ।

ଅଳ୍ପ ଖାଦ୍ୟରେ ପୁରେନି ଗଜରାଜଙ୍କ ପେଟ । କିନ୍ତୁ ଏବେ ଓଡ଼ିଶାରେ ହାତୀ ଭୋକିଲା । ହାତୀଙ୍କ ଅନାହାର ପାଇଁ ଜଙ୍ଗଲ ଅଭାବ ବଡ଼ କାରଣ ସାଜିଛି । ଦ୍ରୁତ ସହରୀକରଣ ପାଇଁ ହାତୀ ବାସପଯୋଗୀ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ଆବଶ୍ୟକତା ଠାରୁ ଅଧିକ ହାତୀ ଡେରା ପକାଇଛନ୍ତି ।

- ଓଡ଼ିଶାର ୩୮ ବନଖଣ୍ଡରେ ୧୭୦୦ ହାତୀ ରହିବା କଥା
- ଏବେ ଓଡ଼ିଶାରେ ପ୍ରାୟ ୨୧୦୦ ହାତୀ ରହିଛନ୍ତି
- ଆବଶ୍ୟକତା ଠାରୁ ଅଧିକ ୪୦୦ ହାତୀ ରହିଛନ୍ତି

ସଂଖ୍ୟା ବଢ଼ିବା ଓ ଜଙ୍ଗଲ ସଂକୁଚିତ ହେଉଥିବାରୁ ହାତୀଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନି । ଖାଦ୍ୟ ଅଭାବରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହାତୀଙ୍କୁ ରୋଗିଣା କରୁଛି । ଯାହା ଅନେକ କ୍ଷେତ୍ରରେ ଜୀବନ ମଧ୍ୟ ନେଉଛି । ଜାଗା ଅଭାବରୁ ବିଭିନ୍ନ ବନଖଣ୍ଡରୁ ଶିମିଳିପାଳ ଅଭୟାରଣ୍ୟକୁ ହାତୀ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବନ ବିଭାଗ । ହାତୀଙ୍କ ଯତ୍ନ ନେବାକୁ ଶିମିଳିପାଳରେ ବ୍ୟବସ୍ଥା ଥିବାରୁ ଅନାହାର ମୃତ୍ୟୁକୁ ରୋକଯାଇପାରିବ ।