କନକ ବ୍ୟୁରୋ: ବର୍ତ୍ତିଗଲା ଓଡ଼ିଶା । ଆନ୍ଧ୍ର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ମୋନ୍ଥା । ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହିତ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି । କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା, କିନ୍ତୁ ଓଡ଼ିଶାରେ ଯାହା ଆକଳନ କରାଯାଉଥିଲା, ସେଭଳି କ୍ଷୟକ୍ଷତି ହୋଇନାହିଁ । କେବଳ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି । ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ । 

Advertisment

ବାତ୍ୟା ‘ମୋନ୍ଥା’ ପାଇଁ ଅଟକିଲା ସଡ଼କପଥ । କୋଲକାତା-ଚେନ୍ନାଇ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ହଜାର ହଜାର ଯାନବାହାନ ଏନ.ଏଚ ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଅବରୋଧ ହଟିବା ପରେ ଯାତାୟାତ ସ୍ବାଭାବିକ ହେବ । 

ବାତ୍ୟା ମୋନ୍ଥା ଯୋଗୁଁ କାଲିମେଳା ପଟେରୁ ନଦୀ କୂଳରେ ଥିବା ନାମକୋଣ୍ଡା ଗାଁର ୮୫ ଗ୍ରାମବାସୀଙ୍କୁ ସ୍କୁଲକୁ ସ୍ଥାନାନ୍ତର କରିଛି ପ୍ରଶାସନ । ବୃଦ୍ଧ ବୃଦ୍ଧାଙ୍କଠାରୁ ଛୋଟ ପିଲା ସମସ୍ତଙ୍କୁ ସ୍କୁଲରେ ରଖାଯାଇ ସେମାନଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିଛି କାଲିମେଳା ବ୍ଲକ ପ୍ରଶାସନ । କାଲିମେଳା ବିଡିଓ, ସରପଞ୍ଚ ଓ ବ୍ଲକ ଅଧିକାରୀମାନେ ନାମକୋଣ୍ଡା ଗାଁକୁ ଗସ୍ତ କରି ଲୋକ ମାନଙ୍କୁ ଠିକ୍‌ରେ ରନ୍ଧାଖାଦ୍ୟ ଦିଆଯାଉଛି କି ନାହିଁ ତଦାରଖ କରିଥିଲେ । ଏଥିସହ ବିଭିନ୍ନ ଗାଁରୁ ୧୫ ଜଣ ଗର୍ଭବତୀଙ୍କୁ ଆଣି ମା’ ଘରେ ରଖାଯାଇଛି । 

ସଲାମ୍ ଯୋଦ୍ଧା… ଅସମୟର ସାଥୀ ଅଗ୍ନିଶମ ବାହିନୀ । ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଥିଲା । ଏହା ପ୍ରଭାବରେ ଓଡ଼ିଶା, ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା, ରାସ୍ତା ଅବରୋଧ ହୋଇଥିଲା । କିନ୍ତୁ ସଙ୍ଗେ ସଙ୍ଗେ ରାସ୍ତା ଉପରେ ପଡ଼ିଥିବା ଗଛ ଗୁଡ଼ିକୁ ସଫା କରିବାରେ ଲାଗି ପଡ଼ିଥିଲେ ଅଗ୍ନିଶମ କର୍ମଚାରୀ । ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲାରେ ଯେଉଁଠି ଯେଉଁଠି ଗଛ ଭାଙ୍ଗି ପଡିଛି, ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗଛ କାଟିବା ସହିତ ରାସ୍ତା ସଫା କରିଛନ୍ତି ।