କନକ ବ୍ୟୁରୋ: ଛିଡୁନି ସଭାପତି ଗଣିତ । ରାଜ୍ୟ ସଭାପତି ଘୋଷଣା ଉପରେ ସମସ୍ତଙ୍କ ନଜର । କେବେ ଘୋଷଣା ହେବ? କାହା ଉପରେ ସୁନାକଳସ ଢାଳିବେ କେନ୍ଦ୍ରୀୟ ନେତୃତ୍ୱ? ସେନେଇ ଯେତିକି ଚର୍ଚ୍ଚା ତା’ଠୁ ଅଧିକ ଚର୍ଚ୍ଚା ରିପିଟ ନା ନୂଆ ମୁହଁ ଉପରେ ଭରସା କରିବେ କେନ୍ଦ୍ରୀୟ ଟିମ। ତେବେ ଏପ୍ରିଲ ଶେଷ ସୁଦ୍ଧା ସଂଗଠନର ସବୁ କାର୍ଯ୍ୟ ସରିବ ବୋଲି ଜଣାପଡିଛି।
୩ ମାସ ହେବ ସଭାପତି ଘୋଷଣା ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ, ଚଳିତ ମାସ ଶେଷ ସୁଦ୍ଧା ସଙ୍ଗଠନ ପର୍ବ ସରିବା ସହ ରାଜ୍ୟ ସଭାପତି ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ଖବର ମିଳୁଛି । ମନମୋହନ ସାମଲ ରିପିଟ୍ ହେବେ, ନା ନୂଆ ମୁଁହ ସୁଯୋଗ ପାଇବେ ସେନେଇ ମାନସମନ୍ଥନ ଜାରି ରହିଛି ।
ତାଲିକାରେ:
ମନମୋହନ ସାମଲ
ଗୋଲକ ମହାପାତ୍ର
ସାରଦା ଶତପଥୀ
ବିଶ୍ୱେଶ୍ୱର ଟୁଡୁ
ବିରଞ୍ଚି ତ୍ରିପାଠୀ
ଯତୀନ ମହାନ୍ତିଙ୍କ ମଧ୍ୟରୁ ଜଣେ ରାଜ୍ୟ ସଭାପତି ହୋଇପାରନ୍ତି । କିମ୍ବା ଆଉ କାହାକୁ ସରପ୍ରାଇଜ ରୂପେ ସଭାପତି ପଦ ଦେଇପାରନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏହାର ସମାଧାନ ଖୁବଶୀଘ୍ର ହେବ ବୋଲି ଜଣାପଡିଛି । ଅନ୍ୟପଟେ କେନ୍ଦ୍ର ହାତରେ ନିଷ୍ପତ୍ତି ରହିଛି ଏବଂ ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ପ୍ରଭାରୀ ବିଜୟପାଲ ସିଂ ତୋମାର । ସେପଟେ ଦଳ ଯାହାଙ୍କୁ ବାଛିବ, ତାଙ୍କୁ ସମସ୍ତେ ସ୍ୱୀକାର କରିବେ ବୋଲି ବର୍ତ୍ତମାନର ସଭାପତି କହିଛନ୍ତି ।
ଦଳୀୟ ବିବାଦ ଓ କନ୍ଦଳ ପାଇଁ ସଭାପତି ଚୟନ ବିଳମ୍ବ ହେଉଥିବା ଆକଳନ କରୁଛନ୍ତି ବରିଷ୍ଠ ସାମ୍ବାଦିକ । ସଂଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ଶିବିରରେ ଗୁରୁମନ୍ତ୍ର ଦେଇଥିଲେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ହେଲେ ତାହା ପ୍ରତିଫଳିତ ହେଉନଥିବା କହିଛନ୍ତି ରାଜନୀତି ସମୀକ୍ଷକ । ସଭାପତି ଚୟନରେ ବିଳମ୍ବ ହେଉଥିବାରୁ ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳ ଦୁର୍ବଳ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି। ସେପଟେ ବିବାଦ ପାଇଁ ସମ୍ବଲପୁର ଜିଲ୍ଲା ସଭାପତି ଘୋଷଣା ମଧ୍ୟ ଅଟକି ରହିଛି ।