କନକ ବ୍ୟୁରୋ :  ଓଡ଼ିଶା ଛୁଇଁଲା ମୌସୁମୀ । ଚଳିତ ବର୍ଷ ୧୦ଦିନ ଆଗରୁ ଓଡ଼ିଶାରେ ପହଁଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରର କିଛି ଅଞ୍ଚଳକୁ ଆଜି ପ୍ରବେଶ କରିଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଅଗ୍ରସର ହୋଇଛି । ଆଗାମୀ ଦୁଇ ଦିନ ଭିତରେ ଉତ୍ତର ପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ ଓ ସିକିମର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗତବର୍ଷ ଜୁନ୍‌ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ହେଲେ ଏଥର ୧୦ ଦିନ ଆଗୁଆ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଛି ।

Advertisment

ସେପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଘନୀଭୂତ ହୋଇ ଉତ୍ତର ଆଡ଼କୁ ଗତିକରିବ । ଏହା ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ଆଜି ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଅନ୍ୟ ୨୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।