କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଠିକ୍ ସମୟରେ ମୌସୁମୀ ଆସୁନି । ଏହାର ପ୍ରଭାବ ଚାଷ ଓ ଚାଷୀ ଉପରେ ପଡୁଛି । ତେବେ ଏଥର ଆଗୁଆ ଆଣ୍ଡାମାନ ଛୁଇଁଥିବାରୁ ଆସନ୍ତା କିଛିଦିନ ଭିତରେ ମୌସୁମୀ କେରଳ ଛୁଇଁପାରେ । ଯଦି ପାଣିପାଗ ବିଭାଗର ଅନୁମାନ ସତ ହେବ ତେବେ, ବହୁ ବର୍ଷ ପରେ ମୌସୁମୀ ଓଡ଼ିଶା ବି ସଅଳ ଛୁଇଁବା ସମ୍ଭାବନା ରହିଛି ।
- ୧୬ବର୍ଷ ପରେ ମୌସୁମୀ ଆସିବ ସଅଳ
- ସ୍ବାଭାବିକ ହେବ କି ବର୍ଷା, ବଢ଼ିବ କି ଅମଳ?
ସାରା ଦେଶକୁ ବର୍ଷା ଚିନ୍ତା । ଠିକ୍ ସମୟରେ ମୌସୁମୀ ଆସୁନଥିବାରୁ ଅମଳ ଉପରେ ପ୍ରଭାବ ପଡୁଛି । ହେଲେ ଏଥର ସଅଳ ଆସିବାକୁ ଯାଉଛି ମୌସୁମୀ । ଆଉ ମାତ୍ର ୪ରୁ ୫ ଦିନ ମଧ୍ୟରେ କେରଳ ଛୁଇଁପାରେ । ଯଦି ପାଣିପାଗ ବିଭାଗର ଅନୁମାନ ଠିକ୍ ହୁଏ, ତେବେ ୧୬ବର୍ଷ ପରେ ମୌସୁମୀ ଆଗୁଆ କେରଳ ଛୁଇଁବ । ଶେଷଥର ୨୦୦୯ ମେ' ୨୩ରେ କେରଳ ଛୁଇଁଥିଲା ମୌସୁମୀ । ଗତ ୫ବର୍ଷର ତଥ୍ୟ କହୁଛି, ମେ ୨୮ ପୂର୍ବରୁ ମୌସୁମୀ ଆସିନି ।
- ୨୦୨୦ରେ ଜୁନ ୧
- ୨୦୨୧ରେ ଜୁନ୍ ୩
- ୨୦୨୨ରେ ମେ ୨୯
- ୨୦୨୩ରେ ଜୁନ୍ ୮
- ୨୦୨୪ରେ ମେ ୩୦ରେ କେରଳ ଛୁଇଁଥିଲା ମୌସୁମୀ । ଏଥର ସଅଳ ଆସୁଥିବାରୁ ବର୍ଷା ସ୍ବାଭାବିକ ହୋଇପାରେ । ତେଣୁ ଅମଳ ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି ।
ଓଡ଼ିଶାକୁ ଠିକ୍ ସମୟରେ ମୌସୁମୀ ଆସୁନଥିବାରୁ ଚାଷକାମ ଧିମେଇଛି । ଅକ୍ଷୟ ତୃତୀୟାରୁ ସରିଲାଣି ଅଖିମୁଠି ଅନୁକୂଳ । କିନ୍ତୁ ଏଯାଏଁ ବିଲରେ ଲଙ୍ଗଳ ବାଜିନି । ଜମିକୁ ପାଣି ଯାଉନି, ଆକାଶରେ ବି ମେଘ ନାହିଁ । ତେଣୁ ଶୁଖିଲା ପଡ଼ିଆ ଜମିକୁ ଦେଖି ଚାଷୀର ଛାତି ଫାଟି ଯାଉଛି । ଗତବର୍ଷ ଜୁନ ୮ରେ ଓଡ଼ିଶା ଛୁଇଁଥିଲା ମୌସୁମୀ । କିନ୍ତୁ ୨୦୧୯ରୁ ୨୦୨୩ ଭିତରେ ମୌସୁମୀ ଛୁଇଁବା ବେଳକୁ ପ୍ରାୟ ଜୁନ୍ ଅଧା ହୋଇଛି ।
- ୨୦୧୯ରେ ଜୁନ୍ ୨୧
- ୨୦୨୦ରେ ଜୁନ୍ ୧୧
- ୨୦୨୧ରେ ଜୁନ୍ ୧୦
- ୨୦୨୨ରେ ଜୁନ୍ ୧୬
- ୨୦୨୩ରେ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଋତୁଚକ୍ର ବଦଳି ଯାଉଥିବାରୁ ଚାଷ ଉପରେ ତାହାର ପ୍ରଭାବ ପଡୁଛି । ଏଥର ଯଦି ବର୍ଷା ସ୍ବାଭାବିକ ନ ହେବ, ତେବେ ଚାଷ ଉଜୁଡିଯିବା କିଛି ଅସମ୍ଭବ ନୁହେଁ ।