କନକ ବ୍ୟୁରୋ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରବଳ ମୌସୁମୀ ବର୍ଷା ଲାଗିଛି । ଲଗାତାର ବର୍ଷା ଯୋଗୁଁ ଭୟଙ୍କର ରୂପ ଧାରଣ କରିଛି ବନ୍ୟା । ବନ୍ୟାରେ ଏଠାରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୯୦ ଜଣ ଆହତ ହୋଇଛନ୍ତି । ଚକ୍‌ୱାଲରେ ୪୦୦ ମିମି ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଜରୁରୀକାଳୀନ ଘୋଷଣା କରି ନାଗରିକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାୱଲପିଣ୍ଡିରେ ସ୍କୁଲ କଲେଜ ଅଫିସ୍ ଛୁଟି ଘୋଷଣା ହୋଇଛି ଏବଂ ସେନା ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପାକିସ୍ତାନରେ ମୌସୁମୀ ବର୍ଷା ଯୋଗୁଁ ନିୟମିତ ବନ୍ୟାର ସମ୍ମୁଖୀନ ହେଉଛି । ଏହାରି ମଧ୍ୟରେ ବନ୍ୟାରେ ଜଣେ ସାମ୍ବାଦିକ ଭାସିଥିବା ଚିତ୍ର ଦେଖିବାକୁ ମିଳିଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହେଉଥିବା ନେଇ ପରିବେଶବିତ୍‌ମାନେ ମତ ଦେଉଛନ୍ତି ।  

Advertisment

ପାକିସ୍ତାନରେ ବନ୍ୟା ସମୟରେ ସାମ୍ବାଦିକମାନେ ଅତ୍ୟନ୍ତ ବିପଜ୍ଜନକ ଭାବେ ରିପୋର୍ଟିଂ କରୁଥିବା ନଜୀର ରହିଛି । ଏହାର ଅନେକ ଦୃଶ୍ୟ ବିଗତ ଦିନରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।   ଏଭଳି ଦୃଶ୍ୟ ଦେଖିଲେ ଯେକେହିବି ବିଚଳିତ ହୋଇପାରନ୍ତି । କିନ୍ତୁ ଏହା ସତ ଯେ, ପାକିସ୍ତାନରେ ଏମିତି ହିଁ ହୁଏ ରିପୋର୍ଟିଂ । ବର୍ତ୍ତମାନ ଦେଶର ଅଧିକାଂଶ ସ୍ଥାନରେ ବନ୍ୟା ବିଭୀଷିକା ଲାଗିଥିବା ବେଳେ ଜଣେ ସାମ୍ବାଦିକ ବନ୍ୟା ପାଣିରେ ବୁଡ଼ି ରହିଛନ୍ତି, ପାଣି ପୂରା ତାଙ୍କ କାନ ପାଖରେ ଯାଉଥିଲା । ଆଉ ରିପୋର୍ଟରଙ୍କୁ ଦେଖିଲେ ଲାଗୁଥିଲା ପାଣି ନିହାତି ୫ ଫୁଟ ଉପରେ ବହୁଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି, କିନ୍ତୁ ଏହା ପାକିସ୍ତାନର କେଉଁ ଜାଗାର ତାହା ଜଣାପଡିନାହିଁ । ଭିଡିଓ ଶେଷରେ ଦେଖିବାକୁ ମିଳିଥିଲା ବନ୍ୟା ପାଣି ସୁଅରେ ଭାସି ଯାଉଛନ୍ତି ସାମ୍ବାଦିକ ଜଣକ ।