କନକବ୍ୟୁରୋ : ଉତ୍ତରାଖଣ୍ଡରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି । କିଛି ଦିନ ତଳେ ଉତ୍ତରକାଶୀର ଧରାଲିରେ ପ୍ରଳୟଙ୍କରୀ ବିପର୍ଯ୍ୟୟ ପରେ ଗତରାତିରେ ଚମୋଲି ଜିଲ୍ଲାର ଥରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ଓ ଆକସ୍ମିକ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି।  ।  ଏହି ଘଟଣା  ଅଚାନକ ଥରାଲି ସହର ଓ ଆଖପାଖ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ବନ୍ୟାରେ ୮୦ଟି ଘର ମାଟିରେ ମିଶିଯାଇଛି ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି  ।  

Advertisment

ଏଥିରେ  ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି।  ରାତି ପ୍ରାୟ  ୨ଟା ବେଳେ ହୋଇଥିବା ବାଦଲଫଟା‌ ବର୍ଷାରେ ସାଗୱାଡ଼ା ଏବଂ ଚେପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକଙ୍କ ଘର ବୁଡ଼ିଯାଇଛି ଏବଂ କିଛି ଘର ମଧ୍ୟ ଭାଙ୍ଗି ଯାଇଛି  ।   ଅଧିକାରୀଙ୍କ ସୂଚନା ଅନୁଯାୟୀ ଥରାଲି ବଜାର ଅଞ୍ଚଳ ଏବଂ ଥରାଲି ତହସିଲ କମ୍ପ୍ଲେକ୍ସ ଆବର୍ଜନା ଭିତରେ ପୋତି ହୋଇଯାଇଛି । ଅନେକ ଜନବସତି ଅଞ୍ଚଳ ତଥା ଏସ୍‌ଡିଏମ୍‌ ଅଫିସ, ଦୋକାନ ଏବଂ ଗାଡ଼ି ମୋଟର ଆବର୍ଜନ‌ାରେ ପୋତି ହୋଇଯାଇଛି।

ନିକଟସ୍ଥ ସାଗୱାଡ଼ା ଗ୍ରାମରେ ଜଣେ ଶିଶୁ ଏକ କୋଠାର ‌ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି ।   ଏହି ଘଟଣା ସମଗ୍ର ଅଂଚଳରେ ଆତଙ୍କ ଖେଳାଇ ଦେଇଛି। ସ୍ଥାନୀୟ ଲୋକମାନେ ତତ୍କାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଅନେକ ଜୀବନ ବଞ୍ଚିଯାଇଛି । ଚେପଡୋନ ବଜାର ଅଞ୍ଚଳରେ କିଛି ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।  ପ୍ରବଳ ବର୍ଷା ଯୋଗୁଁ ଥରାଲି-ଗ୍ବଲଡାମ ରୋଡ୍‌ ଏବଂ ଥରାଲି-ସଗୱାରା ରୋଡ୍‌ ବନ୍ଦ ରହିଛି ।   ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛି। ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି।  ବାଦଲଫଟା ବର୍ଷା ଯୋଗୁଁ  ଅନେକ ସଂଯୋଗକାରୀ ରାସ୍ତା ନଷ୍ଟ ହୋଇଯାଇଛି।  ପ୍ରଭାବିତ ଅଂଚଳରେ ଲୋକଙ୍କୁ ଘରୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି  ।  

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି,  ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ।   ଇତିମଧ୍ୟରେ ଆଇଏମ୍‌ଡି ଆସନ୍ତା ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ଆଲର୍ଟ’ ଜାରି କରିଛି  ।   ଇତିମଧ୍ୟରେ ଜମ୍ମୁ କାଶ୍ମୀର କିସ୍ତୱାଡ଼ ଜିଲ୍ଲା ଚେସୋତି ଗ୍ରାମରେ ହୋଇଥିବା ବାଦଲଫଟା ବର୍ଷା‌ ଘଟଣାରେ ଏବେ ବି ୩୬ ଜଣ ନିଖୋଜ ଅଛନ୍ତି  ।  ଗତ ୩ ଦିନ ଧରି କୌଣସି ମୃତଦେହ ମିଳୁନି। ତେଣୁ ଏଠାରେ ଉଦ୍ଧାର କାର୍ଯ୍ୟ ଧୀରେଧୀରେ କମାଯାଉଛି। ଅନ୍ୟପ‌କ୍ଷେ ଜମ୍ମୁ କାଶ୍ମୀରର ରିଆସି ଓ କଠୁଆ ଜିଲ୍ଲାରେ ବର୍ଷା ଜନିତ କାରଣ ପାଇଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ବିଭିନ୍ନ ସ୍ଥାନରେ ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି  ।