କନକ ବ୍ୟୁରୋ: ଏବର୍ଷ ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ଆଜି(ବୁଧବାର ) ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମୌସୁମୀ ସ୍ପର୍ଶ କରିଛି । ଆଉ କିଛି ଦିନ ଭିତରେ ସମଗ୍ର ଓଡ଼ିଶାକୁ ଛୁଇଁବ । ଏପଟେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପଟି ସକ୍ରିୟ ରହିଛି । ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାପରେ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭାରି ବର୍ଷା ରହିଛି । 

Advertisment

ଚଳିତବର୍ଷ ୧୦ ଦିନ ଆଗରୁ ଓଡ଼ିଶାରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପୂରା ଓଡ଼ିଶାକୁ ସ୍ପର୍ଶ କରିନଥିଲେ ବି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଏହି ୬ ଜିଲ୍ଲାରେ ପହଞ୍ଚିଛି । ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୁଳ ରହିଛି ପାଗ । ଏପଟେ ବଙ୍ଗୋପସାଗରରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । 

୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଉତ୍ତର ଆଡ଼କୁ ଗତି କରିବ । ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି ଘଡ଼ଘଡ଼ି ସହ ଝଟ୍‌କା ପବନ ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି । 

ଗତବର୍ଷ ଜୁନ୍ ୮ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତଥ୍ୟ ଅନୁଯାୟୀ, ୧୯୬୦ ମସିହାରୁ ଆଜି ପର୍ଯ୍ୟନ୍ତ କେବଳ ୨ଥର ମେ’ ମାସରେ ଓଡ଼ିଶା ଛୁଇଁଛି ମୌସୁମୀ । ୧୯୯୯ ମେ’ ୨୮ ଓ ୨୦୦୯ ମେ’ ୨୫ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିଲା । ତେବେ ଏଥର ଜୁନ୍ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।  ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ରହିଛି । ୩୧ ତାରିଖରୁ କମିବ ବର୍ଷାର ପରିମାଣ । ସମୁଦ୍ର ଅଶାନ୍ତ ଥିବାରୁ ୩୧ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାକୁ ବାରଣ ରହିଛି ।