କନକ ବ୍ୟୁରୋ : ଚାଲିଥିଲା ଭଜନ ସଂନ୍ଧ୍ୟା, ଶହ ଶହ ଲୋକଙ୍କ ଭୋଜନ ପାଇଁ ଚାଲିଥିଲା ପ୍ରସ୍ତୁତି । ଧଳା ଟେଣ୍ଟରେ ସଜେଇ ହୋଇଥିଲା ପିପିଲି ଅଞ୍ଚଳର ଦୁର୍ଗାଦାଶପୁର ବଜାର କମିଟି । ଲାଗୁଥିଲା କେହି ବୟସ୍କଙ୍କ ବୋଧହୁଏ ଦଶାହ କର୍ମ ଚାଲିଛି । କିନ୍ତୁ ଭିତରକୁ ପଶୁ ପଶୁ ଦୃଶ୍ୟ ହିଁ ଥିଲା କିଛି ଅଲଗା । ଦଶାହ ତ ଚାଲିଥିଲା କିନ୍ତୁ ମଣିଷର ନୁହେଁ ମାଙ୍କଡ଼ର ।
ହନୁମନ୍ତଙ୍କର ଚତୁର୍ଦ୍ଦଶାହ ଶ୍ରଦ୍ଧାଞ୍ଜଳୀ ଲେଖା ଆଉ ତା’ ସାଙ୍ଗକୁ ହନୁ ମାଙ୍କଡ଼ଟିର ଫଟୋ ଲଗାହୋଇଥିବା ଏକ ପୋଷ୍ଟର୍ ଟଙ୍ଗା ଯାଇଥିଲା । ଆପଣଙ୍କୁ ହୁଏ ତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପିପିଲି ଲୋକଙ୍କ ପାଇଁ ଏହା ତାଙ୍କ ପ୍ରିୟ ମାଙ୍କଡ଼ ପାଇଁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଥିଲା । ଆଜିର ସମାଜରେ ଯେଉଁଠି ପୁଅ ବାପାକୁ ସମ୍ପତ୍ତି ପାଇଁ ପର କରିଦେଉଛି ସେଠାରେ ଗୋଟିଏ ମାଙ୍କଡ଼ର ଦଶାହ କର୍ମ ପାଇଁ ପୂରା କମିଟି ଏକାଠି ହୋଇଥିଲା । ମାଙ୍କଡ଼ଟି ଥିଲା ବଜାରର ସମସ୍ତଙ୍କର ଅତି ଆପଣାର ପଶୁ । ବଞ୍ଚିଥିଲା ବେଳେ ଦୋକାନ ଦୋକାନ ବୁଲୁଥିଲା ଆଉ ଯେ ଯାହା ଦେଉଥିଲା ଖାଇ ନାଚୁଥିଲା ।
ଅଧିକ ପଢ଼ନ୍ତୁ : ଦିନ ମଜୁରିଆ ଉପରେ ବିଧାତା ସାଜିଛି ବଇରୀ ; ଲିଟାଙ୍କ ଭାଗ୍ୟରେ ଲମ୍ବିଛି ଦୁଃଖର ଲମ୍ବା ଚିଠା
କହିବାକୁ ଗଲେ ହନୁ ମାଙ୍କଡ଼ଟିର ସବୁ ସମୟ ବଜାରରେ ବୁଲି ବୁଲି ହିଁ କଟୁଥିଲା । ଆଉ ରାତି ହେଲେ ମାଙ୍କଡ଼ ପାଲଟି ଯାଉଥିଲା ଚୌକିଦାର । ହନୁମନ୍ତ ଥିଲେ ଚୋରି ହେବାର ଚାନ୍ସ ନାହିଁ । ହେଲେ ଦୁର୍ଘଟଣା ଛଡ଼ାଇନେଲା ଆୟୁଷ , ଆଉ ଆରପାରିକୁ ଚାଲିଗଲା ମାଙ୍କଡ଼ ହନୁମନ୍ତ । ବର୍ତ୍ତମାନ ରୀତିକାନ୍ତି ଅନୁସାରେ ମାଙ୍କଡ଼ର ଦଶାହ ଏବଂ ଏକାଦଶ ପାଳନ କରୁଛନ୍ତି ଦୁର୍ଗାଦାଶପୁର ବଜାର କମିଟିର ସଦସ୍ୟମାନେ । ଏହି ଘଟଣାକୁ ନେଇ ପିପିଲି ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି କମିଟିର ସଦସ୍ୟ ।
ପୁରୀ ଜିଲ୍ଲା ପିପିଲି ବ୍ଲକ ମଙ୍ଗଳପୁର ବଜାର ଓ ଦୁର୍ଗାଦାଶପୁର ବଜାରରେ ୩ ବର୍ଷ ହେଲାଣି ଦୋକାନରୁ ଦୋକାନ ବୁଲି ରହୁଥିଲା ଏ ମାଙ୍କଡ଼ । ହେଲେ କିଛି ଦିନ ତଳେ ପୁରୀ ଭୁବନେଶ୍ବର ଜାତୀୟ ରାଜପଥ କଡ଼ରେ ଏକ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିଲା ମାଙ୍କଡ଼ ହନୁମନ୍ତ । ଯେହେତୁ ପରିବାର ସଦସ୍ୟ ଭଳି କମିଟି ସଦସ୍ୟଙ୍କ ସହ ଜଡ଼ିତ ଥିଲା ତେଣୁ କମିଟି ଲୋକେ ଏକାଠି ହୋଇ ହିନ୍ଦୁ ରୀତିନୀତି ଅନୁସାରେ ଶ୍ମଶାନରେ ମାଙ୍କଡ଼ର ଶବକୁ ପୋତିବା ସହ ଦଶାହ ଭୋଜିର ଆୟୋଜନ ମଧ୍ୟ କରିଥିଲେ । ଖାଲି ଭୋଜି ନୁହେଁ ଭଜନ ସନ୍ଧ୍ୟା ମଧ୍ୟ ଆୟୋଜିତ ହୋଇଥିଲା । ଏଭଳି ଦୃଶ୍ୟ ଦେଖିଲେ ଜଣାପଡ଼େ ଯେ ହଁ ସଂସାରରେ ଏବେ ବି ମାନବିକତା ବଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/02/monkey-bhoji-2025-12-02-23-12-28.jpg)