କନକ ବ୍ୟୁରୋ : ଜିଲ୍ଲାର କ୍ରୀଡ଼ାବିତ୍ ରାଜ୍ୟ ତଥା ଜାତୀୟ ସ୍ତରରେ ଖେଳି ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲ୍ଲା ଗୁଣପୁରରେ ନିର୍ମାଣ ହୋଇଥିଲା ମିନି ଷ୍ଟାଡିୟମ । ଏଥିପାଇଁ ରାଜ୍ୟ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଗଲା । ତଥାପି ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଗଲା ବିକାଶ । ଯାହାକୁ ନେଇ କ୍ରୀଡ଼ାବିତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।
ଗୁଣପୁର ପୌର ପରିଷଦ ୧୯ ନଂ ୱାର୍ଡର ଗୁଣପୁର ମିନି ଷ୍ଟାଡିୟମ୍ । ୨୦ ବର୍ଷ ଭିତରେ ଷ୍ଟାଡିୟମ୍ର ଭିତ୍ତିଭୂମି ପାଇଁ ପାଖାପାଖି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । ତଥାପି ହୋଇପାରୁନି ଆଖିଦୃଶିଆ ବିକାଶ । ପୂରା ଷ୍ଟାଡିୟମ ଖାଲଖମାରେ ଭର୍ତ୍ତି। ଅନାବନା ଗଛ ଉଠିଗଲାଣି । ପାନୀୟ ଜଳ କି ଆଲୋକୀକରଣ ବ୍ୟବସ୍ଥା ନାହିଁ । ପଡ଼ିଆରେ ମଦ ବୋତଲା ଗଡ଼ୁଛି । ବର୍ଷା ପାଣି ନିଷ୍କାସନ ପାଇଁ ସଠିକ ଡ୍ରେନେଜ୍ ବ୍ୟବସ୍ଥା ହୋଇନି । ଜବରଦଖଲ କାରଣରୁ ଧୀରେଧୀରେ ସଙ୍କୁଚିତ ହେଉଛି ଷ୍ଟାଡିୟମ୍ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ତରଫରୁ ଧ୍ୟାନ ଦିଆଯାଉନାହିଁ ।
୨୦୦୫ରେ ଷ୍ଟାଡିୟମ୍ର ବିକାଶ ପାଇଁ ୮.୭୨ ଏକର ଜମିକୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମତଳ କରିଥିଲା ବ୍ଲକ ପ୍ରଶାସନ । ପରେ କ୍ରୀଡ଼ା ବିଭାଗର ୨୦ ଲକ୍ଷ ଓ ଜିଲ୍ଲା ଖଣିଜ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ ତ୍ବରାନିତ ହୋଇଥିଲା । ଷ୍ଟାଡିୟମ୍ ପାଚେରି, ଡ୍ରେନ୍, ରୁମ୍, କଂକ୍ରିଟ ରାସ୍ତା ନିର୍ମାଣ କରାଗଲା । ପରବର୍ତ୍ତୀ ସମୟରେ କ୍ରୀଡ଼ା ବିଭାଗ ପକ୍ଷରୁ ମିଳିଥିବା ୧୬ ଲକ୍ଷ ଅନୁଦାନରେ ପଡ଼ିଆରେ ଆଉ ଏକ ରୁମ୍ ଏବଂ ଓପନ୍ ଜିମ୍ କରାଯାଇଥିଲା । ଏତେ ସବୁ ପରେ ଷ୍ଟାଡିୟମ୍ର ଏପରି ଅବସ୍ଥା ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ସରକାରଙ୍କ ଠାରୁ ଅନୁଦାନ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହୁଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ । ଅନ୍ୟକିଛି ବିକଳ୍ପ ନଥିବାରୁ କ୍ରୀଡାବିତ୍ ଏଠାରେ ବାଧ୍ୟ ହୋଇ ଖେଳ ଅଭ୍ୟାସ କରୁଛନ୍ତି । ତୁରନ୍ତ ଷ୍ଟାଡିୟମ ବିକାଶ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।