କନକବ୍ୟୁରୋ : ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି ।  ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି। ଫଳରେ ପୂର୍ବରୁ ଟ୍ରକ୍‌ରେ ଯେଉଁଭଳି ହାତୀଙ୍କୁ ନିଆଯାଉଥିଲା ସେଭଳି ସମସ୍ୟା ଆଉ ହେବ ନାହିଁ ।  ଏଥିରେ ହାତୀକୁ ଟ୍ରକ୍‌ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍‌ଟ ଲାଗିଛି। ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍‌ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି  । 

Advertisment

ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି ।  ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି ।   ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ  ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ ।   ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା  ।   ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍‌ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ଜଣାପଡ଼ିଛି   ।