କନକ ବ୍ୟୁରୋ: ରବିବାର ଅନୁଷ୍ଠିତ ଭାରତ-ପାକିସ୍ତାନ ସମୟରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍‌ଭୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ଏହି ମ୍ୟାଚ୍‌ ପୂର୍ବରୁ ଯେଉଁ ବିବାଦ ଓ ଅଚଳାବସ୍ଥା ଲାଗି ରହିଥିଲା ତାହାର କେନ୍ଦ୍ରରେ ଥିଲେ ନକ୍‌ଭୀ । କିନ୍ତୁ ମ୍ୟାଚ୍‌ ସମୟରେ ପାକିସ୍ତାନ ଯେତେବେଳେ ନିଶ୍ଚିତ ପରାଜୟ ଆଡ଼କୁ ଗତି କରୁଥିଲା ସେ ହଠାତ୍ ଚୁପ୍‌ଚାପ୍‌ ଉଠି ପଳାଇଯାଇଥିଲେ । ଏକଥ ଖୋଦ୍‌ ପାକିସ୍ତାନର କେତେକ ଗଣମାଧ୍ୟମ କର୍ମୀ ସ୍ପଷ୍ଟ କରିଛନ୍ତି । 

Advertisment

ଏହା ବି ପଢ଼ନ୍ତୁ: ଟି-୨୦ ବିଶ୍ୱକପ, ପାକିସ୍ତାନକୁ ୬୧ ରନରେ ପରାଜିତ କଲା ଭାରତ

ମ୍ୟାଚ୍‌ ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ କରିବ ବୋଲି ପାକିସ୍ତାନ ବାରମ୍ବାର ଧମକ ଦେଇଚାଲିଥିଲା । ଏହି ନାଟକର କେନ୍ଦ୍ରରେ ଥିଲେ ନିଜେ ନକ୍‌ଭୀ । ପାକିସ୍ତାନର ସମ୍ମାନ ବୃଦ୍ଧି କରିବା ପାଇଁ ସେ ଏପରି କରୁଥିବା କହୁଥିଲେ । କିନ୍ତୁ ମ୍ୟାଚ୍‌ରେ ଯେପରି ଶୋଚନୀୟ ଭାବେ ପାକିସ୍ତାନ ଆତ୍ମସମର୍ପଣ କଲା, ତାହା ତାଙ୍କର ସବୁ ଫୁଟାଣି ଭାଙ୍ଗି ଦେଇଥିଲା । ୧୭୬ ରନ୍‌ ଲକ୍ଷ୍ୟର ପିଛା କରିବାକୁ ଯାଇ ପାକିସ୍ତାନ ମୂଳରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଠିପାରିନଥିଲା । ପାକିସ୍ତାନର ଏକ ଲଜ୍ଜାଜନକ ପରାଜୟ ଭୋଗିବାକୁ ଯାଉଛି ବୋଲି ପୂର୍ବରୁ ହିଁ ଠଉରାଇ ନେଇଥିଲେ ନକଭୀ ଏଣୁ ସେ ଛାଡିୟମରୁ ପଳାଇଯାଇଥିଲେ ।

ଅନ୍ୟପକ୍ଷରେ ଏହି ପରାଜୟ ଓ ତା ପୂର୍ବରୁ ହୋଇଥିବା ବୟକଟ୍‌ ନାଟକ ପାଇଁ ନକ୍‌ଭୀଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନର ଦୁଇ ପୂର୍ବତନ ବୋଲର୍‌ ସୋଏବ ଅଖତର୍‌ ଓ ଡାନିସ୍‌ କାନେରିଆ । ଅଖତର ପ୍ରଶ୍ନ କରିଛନ୍ତି ଯେ ଯିଏ କ୍ରିକେଟ୍‌ ବିଷୟରେ କିଛି ଜାଣିନି ତାକୁ ବୋର୍ଡ ମୁଖ୍ୟ କରିବା କେତେଦୂର ଠିକ୍‌? ଯେଉଁମାନେ ଭାରତ ବିରୋଧରେ ବାରମ୍ବାର ଖରାପ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଦଳରେ ସାମିଲ କରାଯାଉଛି । ବାବର ଆଜମଙ୍କୁ ଇଙ୍ଗିତ କରି ସେ କହିଥିଲେ ଯେ ଯେଉଁ ଖେଳାଳି ମ୍ୟାଚ୍‌ ଜିତାଇପାରିବ ନାହିଁ, ତାକୁ ସୁପରଷ୍ଟାର ଆଖ୍ୟା ଦିଆଯାଉଛି । ସେହିପରି କାନେରିଆ ‘ଏକ୍ସ’ରେ ଲେଖିଛନ୍ତି ଯେ ମ୍ୟାଚ୍‌ ବର୍ଜନ କରିଥିଲେ ବରଂ ଭଲ ହୋଇଥାନ୍ତା ।