କନକ ବ୍ୟୁରୋ: ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାର କରିଛନ୍ତି । ଓଡିଶା-ଝାଡଖଣ୍ଡ ସୀମାବର୍ତ୍ତୀ ଦୁଇଟି ସଭାରେ ଯୋଗଦେଇ ବିଜେପି ପାଇଁ ଭୋଟ୍ ମାଗିଛନ୍ତି । ଏଠାରେ ପ୍ରବାସୀ ଓଡିଆ ଓ ଆଦିବାସୀ ଭୋଟର ନିର୍ଣ୍ଣାୟକ ହେବେ ବୋଲି କୁହାଯାଉଛି । ସେହିଭଳି ଓଡିଶା ପାଇଁ ଗୁରୁତ୍ବ ରଖୁଥିବା ପୂର୍ବ ଜାମସେଦପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

Advertisment
  • ଝାଡଖଣ୍ଡର ହାଇପ୍ରୋଫାଇଲ ଫାଇଟ୍
  • ଇଷ୍ଟ ଜାମସେଦପୁର ଉପରେ ସମସ୍ତଙ୍କ ନଜର
  • ଅଜୟ କୁମାର ବନାମ ପୂର୍ଣ୍ଣିମା ସାହୁ ଦାସ 

ଝାଡଖଣ୍ଡ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ
ଅଧିକ ଚର୍ଚ୍ଚାରେ ରହିଛି ଝାଡଖଣ୍ଡର ପୂର୍ବ ଜାମସେଦପୁର ଆସନ । ଏହି ଆସନରେ କଂଗ୍ରେସରୁ ଅଜୟ କୁମାର ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ଣ୍ଣିମା ସାହୁ ଦାସ । ଦୁଇ ପ୍ରାର୍ଥୀଙ୍କୁ ନେଇ ଝାଡଖଣ୍ଡରେ ଯେତିକି ଚର୍ଚ୍ଚା ତାଠାରୁ ଅଧିକ ଚର୍ଚା ହେଉଛି ଓଡିଶାରେ । ଦୁଇ ନେତାଙ୍କ ଓଡିଶା ଲିଙ୍କ ରହିଛି, ଅଜୟ କୁମାର ହେଉଛନ୍ତି ରାଜ୍ୟ କଂଗ୍ରେସର ପ୍ରଭାରୀ ଏବଂ ପୂର୍ଣ୍ଣିମା ସାହୁ ହେଉଛନ୍ତି ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ।  ଅଜୟ କୁମାରଙ୍କେ ପାଇଁ ରାଜ୍ୟ କଂଗ୍ରେସ ନେତା ଜୋରଦାର ପ୍ରଚାର କରିଛନ୍ତି । 

ପୂର୍ବ ଜାମସେଦପୁର ଆସନରେ ୧୯୮୫ ପରଠାରୁ କଂଗ୍ରେସ ଆଦୌ ଜିତିନାହିଁ । ଏଠାରୁ ବିଜେପି ୧୯୯୦ରୁ ୨୦୧୪ ଯାଏଁ ଲଗାତାର ଜିତିଆସିଥିଲା । ତେଣୁ ଅଜୟ କୁମାରଙ୍କ ଭଳି ଚେହେରାକୁ ମଇଦାନକୁ ଆଣି ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ । 

  • ଶେଷ ଦିନରେ ମୋହନଙ୍କ ପ୍ରଚାର
  • ବିଜେପି ପାଇଁ ମାଗିଲେ ଭୋଟ  

ଝାଡଖଣ୍ଡକୁ ନିଜ ଅକ୍ତିଆରକୁ ନେବା ପାଇଁ ବିଜେପି ଦିନରାତି ଏକାକାର କରିଦେଇଛି । ଜେଏମଏମ-କଂଗ୍ରେସ ସରକାରକୁ ହଟାଇ ୫ ବର୍ଷ ପରେ କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ଅଛି । ଓଡିଶାରେ ପ୍ରଥମ ଥର ଲାଗି କ୍ଷମତା ପାଇଥିବା ବିଜେପି ନେତା ଓ ମନ୍ତ୍ରୀ ପଡୋଶୀ ରାଜ୍ୟରେ ପ୍ରଚାରର ମଙ୍ଗ ଧରିଛନ୍ତି । ଷ୍ଟାର କ୍ୟାମ୍ପେନର ଥିବା ମୁଖ୍ୟମନ୍ତ୍ରୀ ଆଜି ଓଡିଶା ସୀମାନ୍ତବର୍ତ୍ତୀ ଦୁଇଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ଷଢେଇକଳା ଓ  ସିଂହଭୂମ ଜିଲ୍ଲାରେ ବିଜେପି ପାଇଁ ଭୋଟ ମାଗିଛନ୍ତି । 

ଝାଡଖଣ୍ଡରେ ମୋଟ ୮୧ ଆସନ ମଧ୍ୟରୁ ୧୩ ତାରିଖରେ ୪୩ ଆସନରେ ଭୋଟ ପଡିବ । ବାକି ଆସନ ପାଇଁ ୨୦ ତାରିଖରେ ଭୋଟ ହେବ । ଫଳାଫଳ ୨୩ ତାରିଖରେ ଆସିବ । ଏହି ଫଳାଫଳ ଓଡିଶା ନେତାଙ୍କ ପ୍ରଭାବର ପରୀକ୍ଷା ହେବ ବୋଲି କୁହାଯାଉଛି ।