କନକ ବ୍ୟୁରୋ: ବିଧାନସଭାରେ ହେଉକି ବିଧାନସଭା ବାହାରେ ହେଉ । ସବୁବେଳେ ଅଭିଯୋଗ ହୋଇଆସେ, ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରାଯାଉଛି ଆଉ ରାଜ୍ୟ ବାହାର ଠିକାଦାର ପୋଷାପୁଅ ସାଜିଛନ୍ତି । ହେଲେ, ସରକାର ବଦଳିବା ପରେ ଅଣ ଓଡିଆ ଠିକାଦାରଙ୍କ ପ୍ରତି ବଦଳିଛି ଆଭିମୁଖ୍ୟ ।
ସରକାରକୁ ଆସିବାର ୭ ମାସ ପରେ ଅଣ ଓଡ଼ିଆ ଠିକାଦାରଙ୍କ ଉପରେ ବାଜିଛି ମୋହନଙ୍କ ଛାଟ। ନବୀନ ସରକାର ସମୟରେ ହୋଇଥିବା ପ୍ରାୟ ସାଢେ ୩ ହଜାର କୋଟିର ୫ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ବାତିଲ କରିଛନ୍ତି ମୋହନ ସରକାର । ଗତ ୨୧ ତାରିଖରେ ମେଗା ଲିଫ୍ଟର ଚିଫ ଇଂଜିନିୟରଙ୍କୁ ଚିଠି ଲେଖି ୫ଟି ପ୍ରକଳ୍ପର ଟେଣ୍ଡର ବାତିଲ କରିବାକୁ କୁହାଯାଇଛି । ନଜର ପକାନ୍ତୁ ଯେଉଁ ଅଣ ଓଡ଼ିଆ ଉଠା ଜଳସେଚନ ପ୍ରକଳ୍ପ ପାଇଥିଲେ, ତାହା ବି ସାଧାରଣ ନିର୍ବାଚନର ଅଢେଇ ମାସ ପୂର୍ବରୁ ।
ଲାର୍ସନ ଆଣ୍ଡ ଟ୍ୟୁବ୍ରୋ ଲିମିଟେଡ
କଳ୍ପତରୁ ପ୍ରୋଜେକ୍ଟ ଇଣ୍ଟରନ୍ୟାସନାଲ ଲିମିଟେଡ
ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ
ଏଲସିସି ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ
ଏନସିସି ଲିମିଟେଡ
ଏହିସବୁ ସଂସ୍ଥା ରାଜ୍ୟର ସମ୍ୱଲପୁର, ବରଗଡ, ଝାରସୁଗୁଡା, ନୂଆପଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ୬୦ ହଜାରରୁ ଅଧିକ ହେକ୍ଟର ଚାଷ ଜମିକୁ ୩ ବର୍ଷ ଭିତରେ ଜଳସେଚନ କରିବାକୁ ଟେଣ୍ଡର ନେଇଥିଲେ । ଏଥିପାଇଁ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ ସରକାର ବଦଳିବା ପରେ ନିଷ୍ପତ୍ତି ମଧ୍ୟ ବଦଳାଇ ଦେଇଛନ୍ତି ସରକାର । ଏପଟେ ନୂଆ ସରକାରଙ୍କ ଟେଣ୍ଡର ବାତିଲକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
ଉନ୍ନୟନ କମିଶନର ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସଂପନ୍ନ କମିଟିର ଟେଣ୍ଡର ବାତିଲ ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ । ଆଉ କ୍ଷମତାପ୍ରାପ୍ତ କମିଟିର ସୁପାରିଶ ଆଧାରରେ ଟେଣ୍ଡରକୁ ବାତିଲ କରାଯାଇଛି ।