କନକ ବ୍ୟୁରୋ: ପ୍ରଥମେ ରଥଯାତ୍ରା ବିଭ୍ରାଟ, ଆଉ ତା ପରେ ବାଲେଶ୍ୱର ଆଉ ବଳଙ୍ଗା ଭଳି ଘଟଣା । ଲଗାତାର ବିଭିନ୍ନ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ମୋହନ ସରକାର ଏବେ ଟ୍ରାକକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଛି । ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ଏବେ ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା । ଏହିକ୍ରମରେ ମଙ୍ଗଳବାର ରାତିରେ ଏକାବେଳେକେ ୪୯ ଅଫିସରଙ୍କ ବଦଳି କରାଯାଇଥିବାବେଳେ, ୧୬  ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି । ଖାଲି ସେତିକି ନୁହେଁ, ଆଗକୁ ମନ୍ତ୍ରିମଣ୍ଡଳରେ ମଧ୍ୟ ବଡ଼ ଧରଣ ବଦଳି ହୋଇପାରେ ବୋଲି ମଧ୍ୟ ଖବର ଆସୁଛି । ଯାହାକି ଅଣନିଶ୍ୱାସୀ ହେଇ ପଡ଼ିଥିବା ମୋହନ ସରକାରକୁ ନୂଆ ସଞ୍ଜିବନୀ ଦେବ ବୋଲି ଚର୍ଚ୍ଚା ହେଉଛି ।

Advertisment

ଭାବମୂର୍ତ୍ତି ସଜାଡ଼ିବାକୁ ବଡ଼ ପ୍ଲାନ୍ 

ଗୋଟିଏ ବର୍ଷ ଭିତରେ ଲୋକଙ୍କ ପାଖରେ ପହଞ୍ଚିପାରିଥିଲା ମୋହନ ସରକାର । ବିଭିନ୍ନ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଲଗାତାର ଅଭିଯୋଗ ଶୁଣାଣି, ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା, ମୋହନ ସରକାରକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲା । ହେଲେ ଏହାପରେ ପରେ କିନ୍ତୁ ଗୋଟିଏ ପରେ ଗୋଟିଏ ଅଘଟଣ ସରକାରକୁ ଅଡ଼ୁଆରେ ପକାଇଥିଲା । ଖାସ୍ କରି ରଥଯାତ୍ରାରେ ବିଭ୍ରାଟ, ବାଲେଶ୍ୱରରେ ଛାତ୍ରୀ ଆତ୍ମହତ୍ୟା ଏବଂ ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ କିରୋସିନି ଢାଳି ଜାଳିଦେବା ଘଟଣା ସରକାର ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା । ଆଉ ଏହାର ଠିକ୍ ପରେ ପରେ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିବା ସହିତ, ଖୁବଶୀଘ୍ର ଆଇପିଏସ୍ ସ୍ତରରେ ମଧ୍ୟ ଗୋଟିଏ ବଡ଼ ଧରଣର ଅଦଳବଦଳ କରି ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ଚିନ୍ତା କରିଥିବା ସୂଚନା ମିଳିଛି ।

୧୬ ଜିଲ୍ଲାର ଜିଲ୍ଲାପାଳ ବଦଳିଲେ  

ରାଜ୍ୟରେ ୩୦ଟି ଜିଲ୍ଲା ଥିବାବେଳେ, ଏଥର ଏକାଥରକେ ୧୬ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି । କହିବାକୁ ଗଲେ ଏକାବେଳକେ ଅଧା ଓଡ଼ିଶାରେ ଜିଲ୍ଲାପାଳ ବଦଳିଛନ୍ତି ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଏହାସହ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ, ରାଉରକେଲା ଏଡିଏମ୍‌ କୁଲକର୍ଣ୍ଣି ଆଶୁତୋଷ ସିଙ୍କୁ ରାୟଗଡ଼ା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ଗଜପତି ଜିଲ୍ଲାପାଳ, ପଦ୍ମପୁର ଏଡିଏମ୍ ଛବନ କୁନାଲ ମୋତିରାମଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ ନୃପରାଜ ସାହୁଙ୍କୁ ସୋନପୁର ଜିଲ୍ଲାପାଳ, ଅବକାରୀ ବିଭାଗ ସ୍ବତନ୍ତ୍ର ସଚିବ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ଏହାସହିତ ତିନି ମହାନଗର ନିଗମରେ ମଧ୍ୟ ନୂଆ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି । ପୁରୀର ଜିଲ୍ଲାପାଳ ଦାୟିତ୍ୱରେ ଥିବା ଚଞ୍ଚଳ ରଣାଙ୍କୁ ବିଏମସିର କମିସନର କରାଯାଇଥିବାବେଳେ, ଗୁଣୁପୁର ଉପ ଜିଲ୍ଲାପାଳ କିରଣଦୀପ କୌର ସହୋଟାଙ୍କୁ ସିଏମସି କମିସନର ଏବଂ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରେହାନ ଖତ୍ରିଙ୍କୁ ସମ୍ବଲପୁର ମହାନଗର ନିଗମର କମିସନର ଭାବେ ନିଯୁକ୍ତ କରାଯାଇଛି । ଚର୍ଚ୍ଚା ହେଉଛି ଆଇଏଏସ୍ ସ୍ତରରେ ଏତେ ବଡ଼ ଅଦଳବଦଳ କରିବା ପରେ ଆଗକୁ ଆଇପିଏସ୍ ସ୍ତରରେ ମଧ୍ୟ ଗୋଟିଏ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିପାରେ । ଖାସ୍ କରି କିଛି ଜିଲ୍ଲାର ଏସପି ବଦଳିବା ଏକପ୍ରକାର ପକ୍କା ବୋଲି ଖବର ଆସୁଛି । ଯେଉଁ ଯେଉଁ ଜିଲ୍ଲାରେ ଗଲା କିଛି ମାସ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ରହିଛି, ସେହି ସେହି ଜିଲ୍ଲାରେ ନୂଆ ଅଫିସରଙ୍କୁ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି ।

ବଦଳିବ ମନ୍ତ୍ରିମଣ୍ଡଳ

ଖୁବଶୀଘ୍ର ମୋହନ କ୍ୟାବିନେଟର ସମ୍ପ୍ରସାରଣ ହେବା ସହିତ କିଛି ମନ୍ତ୍ରୀମାନଙ୍କର ମଧ୍ୟ ପତ୍ତା କଟିପାରେ । ଗୋଟିଏ ବର୍ଷ ଭିତରେ ଯେଉଁ ଯେଉଁ ମନ୍ତ୍ରୀମାନେ ବିବାଦରେ ଫସିଛନ୍ତି, ଯେଉଁ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାମକୁ ଠିକ୍ ଭାବେ ପରିଚାଳନା କରିପାରିନାହାଁନ୍ତି, ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାରର ରାସ୍ତା ଦେଖାଇପାରନ୍ତି ଶୀର୍ଷ ନେତୃତ୍ୱ । ଏହିକ୍ରମରେ ଏବେ ଏକାଧିକ ମନ୍ତ୍ରୀଙ୍କ ଭାଗ୍ୟ ଝୁଲିରହିଛି । ତେଣୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ସହିତ ନିଜ ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ଚେଷ୍ଟା ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଦେଖିବାକୁ ବାକି ରହିଲା, ଆଗକୁ କେଉଁ କେଉଁ ବଡ଼ ଧରଣର ପରିବର୍ତ୍ତନ ଘଟୁଛି ।