କନକ ବ୍ୟୁରୋ : ଓଡ଼ିଶାରେ ମୋହନ ସରକାରକୁ ପୁରିଛି ୧୦୦ ଦିନ । ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ବଳରେ ୨୪ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ପ୍ରଥମଥର ରାଜ୍ୟରେ ସରକାର ଗଢିଥିଲା ବିଜେପି । ୧୨ ଜୁନ୍ ୨୦୨୪ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ ।  ଆଜି ୧୯ ସେପ୍ଟେମ୍ବର ୨୦୨୪ । ମୋହନ ସରକାର ୧୦୦ ଦିନ ପୂରା କରିଛି । ପ୍ରତିଶ୍ରୁତି ପାଳନ ଓ ବିରୋଧୀଙ୍କ ଆକ୍ରମଣ ଭିତରେ ୧୦୦ ଦିନର ସରକାର ଅନେକ କିଛି ଉପଲବ୍ଧି ହାସଲ କରିଛନ୍ତି । ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦଳ ପକ୍ଷରୁ ଦିଆଯାଇଥିଲା ତାହାକୁ ପୂରା କରିବା ମୋହନଙ୍କ ପାଇଁ ସବୁଠୁ ବଡ ପ୍ରାଥମିକତା ପାଲଟିଛି । ପୁରୀରେ ମୋହନ ସରକାରଙ୍କ ୧୦୦ ଦିନର ସଫଳତା ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବ ବିଜେପି । କିନ୍ତୁ ବାସ୍ତବରେ ୧୦୦ ଦିନର ସରକାରରେ ଓଡ଼ିଶାବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିପାରିଛି ଓ କେତେ ପୂରଣ କରିପାରିନି ତାହା ଆଲୋଚନାର ବିଷୟ ପାଲଟିଛି । 

୨୦୨୪ ନିର୍ବାଚନ : କଣ ପ୍ରତିଶ୍ରୁତି ଦେଇଥିଲା ବିଜେପି?
-    ଧାନର ଏମଏସପି ୩୧୦୦ ଟଙ୍କା
-    ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର
-    ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି
-    ମେଡ଼ିକାଲ, ଇଞ୍ଜିନିୟରିଂ, ଆଇନ ପାଠ୍ୟକ୍ରମ ଓଡ଼ିଆରେ ପ୍ରଚଳନ
-    ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ
-    ରତ୍ନଭଣ୍ଡାର ଖୋଲିବ, ଚାବି ହଜିବାର ତଦନ୍ତ ହେବ
-    ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ
-    ଡ୍ରପ୍ ଆଉଟ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା
-    ୩୦୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ
-    ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ
-    ସୂର୍ୟ୍ୟଘର ଯୋଜନାରେ ମାଗଣା ବିଜୁଳି
ଏହାବାଦ୍ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହୋଇଥିଲା ବିଜେପି । ନିର୍ବାଚନରେ ବିଜେପିର ବିଜୟ ପରେ ମୋହନ ସରକାରରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି । 

କଥା ଦେଇଥିଲେ, କଥା ରଖିଲେ 
ଖୋଲିଲା ଶ୍ରୀମନ୍ଦିର ଚାରିଦ୍ବାର :
-    ମୋହନଙ୍କ କ୍ୟାବିନେଟର ପ୍ରଥମ ବୈଠକରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ହୋଇଥିଲା ନିଷ୍ପତ୍ତି 
-    ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ଖୋଲିଥିଲା ଶ୍ରୀମନ୍ଦିର ଚାରିଦ୍ବାର
-    କରୋନା ପରଠାରୁ ଭକ୍ତଙ୍କ ପାଇଁ ଖୋଲୁନଥିଲା ଚାରିଦ୍ବାର
-    ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ନେଇଥିଲେ ବଡ ନିଷ୍ପତ୍ତି
-    ଚାରିଦ୍ବାର ଖୋଲିବାକୁ ସ୍ବାଗତ କରିଥିଲେ ଜଗନ୍ନାଥପ୍ରେମୀ
-    ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ

୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର :
-    ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାରକୁ ଆସିଲା ପରେ ଖୋଲିଲା ରତ୍ନଭଣ୍ଡାର
-    ଚାବିରେ ତାଲା ନଖୋଲିବାରୁ  ତାଲା ଭାଙ୍ଗି ଖୋଲାଗଲା ରତ୍ନଭଣ୍ଡାର
-    ଏଏସଆଇ ଟିମ୍ ଲେଜର ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର କରିଛି ଯାଞ୍ଚ
-    ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା ନେଇ ଏଯାଏଁ ମିଳିନି ପ୍ରମାଣ

ସୁଭଦ୍ରାରେ ୫୦ ହଜାର ଟଙ୍କା:
-    ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା
-    ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
-    ୧୦ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ପାଇବେ ମହିଳା
-    ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ପାଇବେ ହିତାଧିକାରୀ
-    ଲକ୍ଷପତି ଦିଦି ଯୋଜନାରେ ମିଳୁଛି ମହିଳାଙ୍କୁ ସହାୟତା

ଧାନର ଏମଏସପି ୩୧୦୦ ଟଙ୍କା :
-    ଧାନର ଏମଏସପି ୩୧୦୦ କରିବାକୁ ପ୍ରଥମ କ୍ୟାବିନେଟ ବୈଠକରେ ବାଜିଥିଲା ମୋହର
-    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଥିବା ବେଳେ ବୋନସ ବାବଦକୁ ମୋହନ ସରକାର ଦେବେ ୮୦୦ ଟଙ୍କା
-    ବଜେଟରେ ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ
-    ୨୦୨୪-୨୫ ଖରିଫ ଋତୁରୁ ମିଳିବ ବୋନସ ଟଙ୍କା

ଭତ୍ତା : ୩୫୦୦
-    ପ୍ରତିଶ୍ରୁତି ମୁତାବକ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା
-    ୫ ଲକ୍ଷରୁ ଅଧିକ ହିତାଧିକାରୀ ହେବେ ଉପକୃତ
-    ପୂର୍ବରୁ ୮୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳୁଥିଲା ୧୪୦୦ ଟଙ୍କା ଭତ୍ତା
-    ମୋହନ ସରକାର ଏଥିପାଇଁ ବାର୍ଷିକ ପ୍ରାୟ ୨,୦୬୬ କୋଟି କରିବେ ଖର୍ଚ୍ଚ

ଓଡ଼ିଆ ଅସ୍ମିତା :
-    ଓଡ଼ିଆ ଭାଷାରେ ହେବ ସରକାରୀ କାର୍ୟ୍ୟ
-    ଓଡ଼ିଆ ଭାଷା ଭବନ ଓ ଅସ୍ମିତା ଭବନର ହେବ ନିର୍ମାଣ
-    ଓଡ଼ିଆରେ ସରକାରୀ କାର୍ୟ୍ୟ ପାଇଁ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି 
-    ଅନେକ ସରକାରୀ ଚିଠି ଏବେ ଓଡ଼ିଆରେ ଆସୁଛି
-    ମେଡ଼ିକାଲ, ଇଞ୍ଜିନିୟରିଂ, ଆଇନ ପାଠ୍ୟକ୍ରମ ଓଡ଼ିଆରେ ହେବ ପ୍ରଚଳନ
-    ଏହା ଭିତରୁ କେଉଁ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରାଯିବ ସେନେଇ ହୋଇଛି କମିଟି ଗଠନ
-    କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବେ ସରକାର
ଏହାସହ ସିଏମ କିଷାନରେ ଚାଷୀଙ୍କୁ ଟଙ୍କା ମିଳିଥିବା ବେଳେ ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ କରିବା ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି । 
ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ନିର୍ବାଚନରେ ବିଜୟ ପରେ ପ୍ରତିଶ୍ରୁତି ପାଳନ କରିବାରେ ବିଜେପି ଫେଲ ମାରିଛି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । 


ପ୍ରତିଶ୍ରୁତି ଦେଇ ଭୁଲିଗଲେ !
ସବୁ ମହିଳାଙ୍କୁ ମିଳିଲାନି ସୁଭଦ୍ରା ଟଙ୍କା 
-    ପ୍ରତିଶ୍ରୁତି ମୁତାବକ ପ୍ରତ୍ୟେକ ମହିଳାଙ୍କୁ ମିଳିଲାନି ସୁଭଦ୍ରା ଟଙ୍କା 
-    ୨ ବର୍ଷ ଭିତରେ ୫୦ ହଜାର ମିଳିବନି, ବରଂ ୫ ବର୍ଷରେ ୧୦ଟି କିସ୍ତିରେ ମିଳିବ
-    ଆର୍ଥିକ ସ୍ବଚ୍ଛଳ ମହିଳାଙ୍କୁ ମିଳିବନି ସୁଭଦ୍ରା ଟଙ୍କା

ଭତ୍ତାରେ ଭଣ୍ଡାଇଦେଲେ!
-    ନିର୍ବାଚନ ଇସ୍ତାହାରରେ ଭତ୍ତାଧାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ମିଳିବା ନେଇ ଥିଲା ଉଲ୍ଲେଖ
-    କେବଳ ୮୦ ବର୍ଷରୁ ଅଧିକ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳୁଛି ୩୫୦୦ ଟଙ୍କା
-    ୮୦ ବର୍ଷରୁ କମ ବୟସର ଭତ୍ତା ପାଉଥିବା ହିତାଧିକାରୀ ନିରାଶ 

ଚିଟଫଣ୍ଡ ଟଙ୍କା କେବେ ମିଳିବ?
-    ଚିଟଫଣ୍ଡ ଜମାକାରୀ ଟଙ୍କା ଫେରି ପାଇବା ନେଇ ସନ୍ଦିହାନ
-    ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ଏଯାଏଁ ଠୋସ ପଦକ୍ଷେପ ନେଇନାହାନ୍ତି ସରକାର
-    ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ କରିବା ବଡ ଚ୍ୟାଲେଞ୍ଜ

ଏହାବାଦ ନିର୍ବାଚନ ସମୟରେ ବିଜେପି ନେତା ଦେଇଥିବା ପ୍ରତିଶ୍ରୁତି ଓ ୧୦୦ ଦିନ ମଧ୍ୟରେ ରାଜ୍ୟରେ ଘଟିଥିବା ବିଭିନ୍ନ ଘଟଣାବଳୀକୁ ନେଇ ବାରମ୍ବାର ସରକାରଙ୍କୁ ହରଡଘଣାରେ ପକାଉଛନ୍ତି ବିରୋଧୀ । ଯେଉଁଥିରେ, 
୩୦୦ ୟୁନିଟ୍ ମାଗଣା ବିଜୁଳି କେବେ ମିଳିବ?
ଏଏସଓ ବୈକୁଣ୍ଠଙ୍କୁ କେବେ ନ୍ୟାୟ ମିଳିବ?
ମହାପ୍ରଭୁ ଶ୍ରୀବଳଭଦ୍ର ରଥରେ ପଡିଯିବା ଘଟଣାରେ କଣ କାର୍ୟ୍ୟାନୁଷ୍ଠାନ ନିଆଗଲା?
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ କାହିଁକି?
ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରିର ଗାଁଗୁଡିକ ବୁଡିବାକୁ ଥିବା ବେଳେ ସରକାର କାହିଁକି ଚୁପ୍?
ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ଓ ଦରଦାମ ବୃଦ୍ଧି କୁ ନେଇ ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ।