କନକ ବ୍ୟୁରୋ : ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ସରକାରୀ କଳରେ ଊଇ ଭଳି ଚରିଯାଇଛି ଦୁର୍ନୀତିର ଚେର । ଉପରୁ ତଳ ଯାଏଁ ମାଳ ମାଳ ଘୁଷଖୋର । ଭିଜିଲାନସର ତଥ୍ୟ କହୁଛି, ଗତବର୍ଷ ଧରାପଡ଼ିଛନ୍ତି ୨୧୨ ଲାଞ୍ଚୁଆ ଅଧିକାରୀ । ତା ମାନେ ନଜରର ଆଢ଼ୁଆଳରେ ଆହୁରି କେତେ ବାବୁ ଚଳାଇଥିବେ ଲୁଟତରାଜ୍ ? ବାବୁମାନଙ୍କ ପାଇଁ ନିରୀହ ଜନତା ଶୋଷିତ ହେଉଥିବେ, ଆଉ ସରକାର କେତେ ଦିନ ଦେଖଣାହାରୀ ସାଜିବେ?
ଗତବର୍ଷ ଲାଞ୍ଚୁଆ ବାବୁଙ୍କୁ ଧରିବାରେ ଡବଲ୍ ସେଞ୍ଚୁରି ମାରିଛି ଭିଜିଲାନସ । ୩୬୫ ଦିନରେ ଧରାପଡ଼ିଛନ୍ତି ୨୧୨ ଅଧିକାରୀ । ଆଇଏଏସ୍, ଇଞ୍ଜିନିୟର, ଫରେଷ୍ଟର, ଡାକ୍ତର, ପୁଲିସ, ତହସିଲଦାର । ଯେତେ ବଡ଼ ଅଧିକାରୀ, ହାତ ସେତେ କଳା । ଜବତ ହୋଇଛି ୧୮ କେଜିରୁ ଅଧିକ ସୁନା, ପ୍ରାୟ ୯ କୋଟି ନଗଦ ଟଙ୍କା । ୮ ଶହରୁ ଅଧିକ କୋଠା ଓ ପ୍ଲଟ୍ । ପ୍ରଶ୍ନ ଉଠୁଛି, ଉଭା ଏତେ ତ ପୋତା କେତେ? ଲୁଚିଛନ୍ତି କେତେ ବାବୁ, ଚାପିଛନ୍ତି କେତେ କଳାଧନ? କାହା ବଳରେ ବଳୀୟାନ୍ ଥିଲେ ଅସାଧୁ ଅଧିକାରୀ? ବାବୁମାନେ କଳାଟଙ୍କାରେ କୁବେର ବନୁଥିବା ବେଳେ ନିଘୋଡ଼ ନିଦରେ ଶୋଇଥିଲେ କି ଉପରିସ୍ଥ ଅଧିକାରୀ? ସେମାନଙ୍କ ସମ୍ପୃକ୍ତିର ତନାଘନା କରୁଛି ତ ଭିଜିଲାନସ? ସରକାରୀ କଳରେ ଉପରୁ ତଳ ଯାଏଁ କମିସନ ବ୍ୟବସ୍ଥା କାହାକୁ ବା ଅଛପା ।
ଅଧିକ ପଢ଼ନ୍ତୁ : ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଟଙ୍କାର ପାହାଡ଼, ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ
ସରକାରୀ ଚାକିରି କରୁ କରୁ ଉପୁରି ଟଙ୍କାରେ କିଏ କୋଠା ବାଡ଼ଉଛି, ତ କିଏ କିଣୁଛି ପ୍ଲଟ୍ ପରେ ପ୍ଲଟ୍ । ଗତବର୍ଷ ଆଇଏଏସ୍ ଅଧିକାରୀ ଓ ୫୩ କ୍ଲାସ୍ ୱାନ୍ ଅଫିସର ଧରାପଡ଼ିବା ପରେ, ଦୁର୍ନୀତିର ଚେର କେତେ ଗଭୀରକୁ ଛୁଇଁଲାଣି, ତାହା ପଦାରେ ପଡ଼ିଛି । ଲାଗୁଛି, ସରକାରଙ୍କ ଶୂନ୍ୟ ସହନଶୀଳତା ଚେତାବନୀକୁ ହସରେ ଉଡ଼ାଇ ଦେଉଛନ୍ତି ବାବୁ । ଅନ୍ୟଥା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ୱାର ଅଫିସରଙ୍କୁ ଚେତାଇବାକୁ ପଡ଼ୁଛି କାହିଁକି? କାହିଁକି ସଂପତ୍ତି ତାଲିକା ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି ବାବୁ ।
ଅଧିକ ପଢ଼ନ୍ତୁ : ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ: ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ଘୁଷଖୋର ବାବୁମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟୁଥିବା ବେଳେ, ବିଭିନ୍ନ ଦପ୍ତରରେ 'ଟଙ୍କା ନଦେଲେ କାମ ହେବନି' ଯେମିତି ଅଲିଖିତ ନିୟମ ପାଲଟି ଯାଇଛି । ଯାହାକୁ ପୋଛିବା ସରକାରଙ୍କ ଦାୟିତ୍ୱ ।
Follow Us