କନକ ବ୍ୟୁରୋ: ରାତି ପାହିଲେ ଯିଏ ଆମ ଅଳିଆକୁ ବୋହି ନିଅନ୍ତି । ସ୍ବଳ୍ପ ପାରିଶ୍ରମିକରେ ରାସ୍ତାଘାଟକୁ ପରିସ୍କାର କରନ୍ତି, ସହରକୁ ଦୁର୍ଗନ୍ଧମୁକ୍ତ ରଖନ୍ତି ସେମାନଙ୍କ କଥା କେହି ଭାବନ୍ତିନି । କିନ୍ତୁ ଆଜି ସେମାନଙ୍କୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

Advertisment

ଖରା, ବର୍ଷା, ଶୀତ ସବୁଦିନେ ପରିବେଶକୁ ସ୍ବଛ, ସୁନ୍ଦର ରଖିବା ପାଇଁ କାମ କରୁଥିବା ପରିମଳ କର୍ମଚାରୀଙ୍କୁ ସଶକ୍ତ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ୨ଦିନିଆ ଗରିମା ଜାତୀୟ କର୍ମଶାଳା ଉଦଘାଟନ କରି ସେମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ଗୁରୁତ୍ବ ଦେଇଛନ୍ତି ମୋହନ ମାଝୀ । ଘୋଷଣା କରି କହିଛନ୍ତି, 

ପରିମଳ କର୍ମଚାରୀଙ୍କୁ ମୋହନଙ୍କ ଭେଟି 
- ୧୦ଲକ୍ଷ ଟଙ୍କାର ଜୀବନ ବୀମା 
- କର୍ମକ୍ଷେତ୍ରରେ ପ୍ରାଣହାନୀ ହେଲେ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା 
- ପରିମଳ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ 
- ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ଯୋଗାଇ ଦିଆଯିବ

ଓଡ଼ିଶାରେ ୧୧୫ ସହରରେ ୧୦ ହଜାରରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କୁଶଳୀ ଓ ଅତି କୁଶଳୀଙ୍କୁ ଚିହ୍ନଟ କରାଯାଇ ପ୍ରମାଣ ପତ୍ର ଦିଆଯାଉଛି । ଜାତୀୟ କର୍ମଶାଳା ଅବସରରେ ଭଲ କାର୍ଯ୍ୟ କରିଥିବା କିଛି ପରିମଳ କର୍ମଚାରୀଙ୍କୁ ମାନପତ୍ର ଓ ଆର୍ଥିକ ସହାୟତା ଦେଇ ସମ୍ମାନିତ କରାଯାଇଛି। ସରକାରଙ୍କ ଘୋଷଣା ପରେ ଖୁସୀ ପ୍ରକାଶ କରିଛନ୍ତି କର୍ମଚାରୀ ।

ଏଥିସହ ପରିମଳ ବ୍ୟବସ୍ଥାକୁ ନେଇ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି । କହିଛନ୍ତି, ପରିମଳ ବ୍ୟବସ୍ଥାକୁ ନେଇ ୬୭ ବର୍ଷ ଧରି କୌଣସି ଦଳ ବି ଗୁରୁତ୍ଵ ଦେଉନଥିଲେ । କିନ୍ତୁ ମୋଦୀ ଆସିବା ପରେ ଘରେ ଘରେ ଶୌଚାଳୟ ବ୍ୟବସ୍ଥା କରିବା ସହ ବଦଳିଯାଇଛି ଚିତ୍ର ।