କନକ ବ୍ୟୁରୋ : ହଠାତ ନବୀନ ନିବାସ ମୁହାଁ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ସୁସ୍ଥ ହୋଇ ଫେରିଥିବା ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଞ୍ଚି ଯାଇଥିଲେ ମୋହନ । ମୁଖ୍ୟମନ୍ତ୍ରୀ ପହଞ୍ଚୁ ପହଞ୍ଚୁ କରମର୍ଦ୍ଦନ କରି ସ୍ବାଗତ କରିଥିଲେ ନବୀନ । ସାମ୍ନା ସାମ୍ନି ହୋଇ ବସି ଡ୍ରଇଂ ରୁମରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା କରିଛନ୍ତି ଉଭୟ ନେତା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଉତ୍ତରରେ ବିରୋଧୀ ଦଳ ନେତା କହିଥିଲେ, ସୁସ୍ଥ ଅନୁଭବ କରୁଛି ।

Advertisment

ନବୀନ ନିବାସ ଉପରେ ସମସ୍ତଙ୍କ ଆଖି 
ପକ୍ଷକୁ ନେବାକୁ ଦିଲ୍ଲୀରୁ ରଣନୀତି

କ୍ଷମତାରୁ ହଟିଥିଲେ ବି ନବୀନଙ୍କ ଉପରେ ରହିଛି ସମସ୍ତଙ୍କ ଆଖି । ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ତାଙ୍କର ଦବ୍‌ଦବା ରହିଛି । ଯାହାର ସଂକେତ ନବୀନ ଅସୁସ୍ଥ ହେବା ପରେ ବେଶ୍ ବାରି ହୋଇପଡ଼ିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା ତାଙ୍କୁ ଫୋନ କରିଥିଲେ । ସୋମବାର ରାଜନାଥ ଫୋନ କରିବା ପରେ ବୁଧବାର ନବୀନଙ୍କ ନିକଟକୁ ଆସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋନ କଲ୍ । ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ଓ ପରେ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ସେହିଦିନ ସନ୍ଧ୍ୟାରେ ଆଉ ପରେ ପରେ ସନ୍ଧ୍ୟାରେ କଂଗ୍ରେସର ମୁଖିଆ ମଲ୍ଲିକାର୍ଜୁନ ଖଡଗେ ନବୀନଙ୍କୁ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କୁ କେନ୍ଦ୍ରୀୟ ନେତା ଫୋନ୍ କରିବାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଗତ ନିର୍ବାଚନରେ ବିଜେପି ୧ କୋଟି ୬୪ ହଜାର ୮୨୭ ଖଣ୍ଡ ଭୋଟ୍‌ ପାଇ ଶାସନକୁ ଆସିଥିବା ବେଳେ ବିଜେଡି ୧ କୋଟି ୧ ଲକ୍ଷ ୨ ହଜାର ୨୫୪ ଖଣ୍ଡ ଭୋଟ୍‌ ପାଇ ବିରୋଧୀ ଆସନରେ ବସିଛି । ତେଣୁ ଉଭୟ କଂଗ୍ରେସ ଓ ବିଜେପି, ବିଜେଡିର ବଡ଼ ଭୋଟବ୍ୟାଙ୍କ ଉପରେ ନଜର ରଖିବା ସହ ନବୀନଙ୍କୁ ସମବେଦନା ଜଣାଇ, ନିଜ ପକ୍ଷକୁ ନେବାକୁ ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।