କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ମୋହନ ଆଉ ମନମୋହନ । ଦୁଇ ନେତା ବୁଧବାର ଦଳର ତମାମ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିବାବେଳେ, ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ହେଲେ ଏହା ଭିତରେ କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂହଦେଓଙ୍କ ଘରେ ବିଜେପି ସାଂସଦଙ୍କ ଭୋଜି । ଯେଉଁ ଭୋଜିରେ କି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମିଲ ହୋଇଥିଲେ ।

Advertisment

ଗତମାସରେ କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କ ଘରେ ସାଂସଦମାନେ ଏକାଠି ହୋଇଥିଲେ । ଆଉ ଏହି ଭେଟଘାଟରେ ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ସାଂସଦମାନେ ନିଜ ନିଜର ଅସନ୍ତୋଷ ଜାହି କରିଥିଲେ । ସାଂସଦ ଆଉ ବିଧାୟକଙ୍କ କଥା ପ୍ରଶାସନିକ ଅଧିକାରୀମାନେ ଶୁଣୁନାହାନ୍ତି ବୋଲି ସେ ଜଣାଇଥିଲେ । ଖାସ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟଧାରାକୁ ନେଇ ସେମାନେ ଅସନ୍ତୋଷ ଜାହିର କରିଥିଲେ । ଆଉ ସେତେବେଳେ ରାଜ୍ୟ ବିଜେପି ସଭାପତି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଗତକାଲି ଏହି ପରିପ୍ରେକ୍ଷୀରେ ସାଂସଦଙ୍କ ଏହି ଭୋଜିର ଆୟୋଜନ ଗୁରୁତ୍ୱ ବହନ କରୁଛି ।

ସାଂସଦଙ୍କ ଏହି ଭୋଜିରେ ମୁଖ୍ୟମନ୍ତ୍ରୀ ନିଜେ ସାମିଲ ହୋଇଥିବାରୁ ସାଂସଦମାନେ ତାଙ୍କ ସମସ୍ୟା ସିଧାସଳଖ ଜଣାଇଥିବେ । ସେମାନଙ୍କ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆପତ୍ତି ଅଭିଯୋଗର ସମାଧାନ ତ୍ୱରିତ ବେଗରେ ହେବା ଉପରେ ସାଂସଦମାନେ ଗୁରୁତ୍ୱାରୋପ କରିଛନ୍ତି ବୋଲି ସୂଚନା ମିଳିଛି । ଆଉ ମୁଖ୍ୟମନ୍ତ୍ରୀ ବି ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ, ବିଜେପି ସାଂସଦମାନେ ପ୍ରତି ମାସରେ ଜଣଙ୍କ ବାସଭବନରେ ଭୋଜିଭାତର ଆୟୋଜନ କରିବାକୁ ସ୍ଥିର କରିଛନ୍ତି । ଆଉ ଏହି କ୍ରମରେ ଗତକାଲି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା ।