କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆଳୁ ମିଶନ୍ । ପୂର୍ବ ସରକାର ବେଳେ ଆଳୁ ମିଶନ୍ ଫେଲ୍ ମାରିଥିବା ବେଳେ ଏବେ ମୋହନ ମାଝୀଙ୍କ ସରକାର ଆଳୁ ମିଶନ୍ କରିବାକୁ ଚିନ୍ତା କରୁଛନ୍ତି । ଉତ୍ତରପ୍ରଦେଶ ଓ ପଞ୍ଜାବରୁ ବିହନ ଆସି ନଭେମ୍ବରରେ ଚାଷୀଙ୍କୁ ଦିଆଯିବ । ରୋଷେଇ ଘରର ଏହି ଅତ୍ୟାବଶ୍ୟକ ପରିବାକୁ ନେଇ ଚଳିତବର୍ଷ ଦିଦିଙ୍କ ମନମାନି ଏବଂ ରାଜନୈତିକ ବୟାନବାଜି ପରେ ଏହାର ସଫଳ କାର୍ୟ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ଚଳିତବର୍ଷ ରାଜ୍ୟରେ ଆଳୁ ସଙ୍କଟ ସବୁ ସୀମା ଟପିଯାଇଥିଲା । କେତେବେଳେ କିଲୋ ୬୦ ଟଙ୍କା ଟପିଥିଲା ତ ଆଉ କେତେବେଳେ ବେଙ୍ଗଲ ସୀମାରେ ଟ୍ରକ ଟ୍ରକ ଆଳୁ ଅଟକାଇଥିଲେ ମମତା ବାନାର୍ଜୀ । ଯାହାଦ୍ବାରା ୨ ମାସ ଧରି ଦହଗଞ୍ଜ ହୋଇଥିଲେ ଲକ୍ଷ ଲକ୍ଷ ଖାଉଟି । ଆଉ ଏବେ ରାଜ୍ୟରେ ଆଳୁ ସମସ୍ୟାର ସମାଧାନ ପାଇଁ ଗୋଟିଏ ପାଦ ଆଗକୁ ଆସିଛନ୍ତି ମୋହନ ସରକାର । ପୂର୍ବ ସରକାରଙ୍କ ଆଳୁ ମିଶନ ଅବଧିକୁ ଆଉ ୩ ବର୍ଷ ବଢାଇଛନ୍ତି । ୨୦୨୪ ଅକ୍ଟୋବରରୁ ୨୦୨୭ ଯାଏଁ ଏହାକୁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ମିଶନକୁ ସଫଳ କରିବା ପାଇଁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆସିବ ଆଳୁ ବିହନ । ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କୋଲକତା ଯାଇଛନ୍ତି । ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍ । 

ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଯୋଗାଇ ଦିଆଯିବ ବିହନ । ପୂର୍ବ ପରି ୫୦ ପ୍ରତିଶତ ରିହାତିରେ ହାଇବ୍ରିଡ୍ ଶୀତଳ ଭଣ୍ଡାର ପାଇଁ ପ୍ରସ୍ତାବ ରହିଛି । ସେହିପରି ସବୁ ସବ୍‌ଡିଭିଜନରେ ଶୀତଳଭଣ୍ଡାର ହେବ । ନୂଆ ଟେକ୍‌ନୋଲୋଜି ଓ ଭିନ୍ନ ଭିନ୍ନ ଜଳବାୟୁରେ କିପରି ପନିପରିବା ଦୀର୍ଘ ଦିନ ରହିପାରିବ, ସେନେଇ ବିଭାଗ ତର୍ଜମା କରୁଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । 

ବିଧାନସଭାର ତଥ୍ୟ ଅନୁସାରେ, ଓଡ଼ିଶାରେ ବାର୍ଷିକ ୧୩ ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ୩ରୁ ୪ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହେଉଛି । ଅବଶିଷ୍ଟ ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରୁଛି ଓଡ଼ିଶା । ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଆଳୁ ମିଶନ୍ । ତେବେ ଶୀତଳଭଣ୍ଡାର ଅଭାବରୁ ଫେଲ୍ ମାରିଥିଲା ଆଳୁ ମିଶନ୍ ।