କନକ ବ୍ୟୁରୋ : ରାଜ୍ୟବାସୀଙ୍କ ଆଗରେ ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଖାଣିଲେ ବର୍ଷକର ଉପଲବ୍ଧି । କହିଲେ, ପୂରଣ କରିଛୁ ଲୋକଙ୍କ ଆଶା । ଗରିବ, ଚାଷୀ, ମହିଳା ଓ ଯୁବକଙ୍କ ପାଇଁ ଚାଲିଛି ନିରନ୍ତର କାମ , ଶିଳ୍ପର ହବ୍ ହେବ ଓଡ଼ିଶା । ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍ ଯଥେଷ୍ଟ । ସମୃଦ୍ଧ ଭବିଷ୍ୟତ ପାଇଁ କୃଷି ଓ କୃଷକ ଶସକ୍ତିକରଣ ଆବଶ୍ୟକ । ସମୃଦ୍ଧ କୃଷକ ଯୋଜନାରେ ଧାନ କ୍ବିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନ୍ପୁଟ ସହାୟତା । ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଶିଳ୍ପ ଅଭିବୃଦ୍ଧି ହେଲେ ଆର୍ଥିକ ସମୃଦ୍ଧି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା । ଓଡ଼ିଶାର ସମୃଦ୍ଧ କଳା, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ସେହିପରି ଜନଜାତି ପରମ୍ପରା ଓ ଐତିହ୍ୟର ସଂରକ୍ଷଣକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡ଼ିଶା ୨୦୩୬ ପାଇଁ ଯୁବ ପ୍ରତିଭାକୁ ପ୍ରୋତ୍ସାହନ । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ ଭଳି ବ୍ୟବସ୍ଥା କରାଯାଇଛି ।