କନକ ବ୍ୟୁରୋ: ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ ଏନଏସି ହେବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ସରକାର ତାଙ୍କ ସ୍ୱପ୍ନକୁ ଭାଙ୍ଗିଛନ୍ତି । ଏବେ ସେହି ଅଞ୍ଚଳର ଲୋକ ମୋହନ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ସଜବାଜ ହେଉଥିବା ସୂଚନା ମିଳୁଛି । ଖାସ୍ କରି ବିରୋଧୀ ବିଜେଡି ନେତା ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣି ସରକାରକୁ ଅସୁବିଧାରେ ପକାଇବାକୁ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି ।

Advertisment

ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ୧୬ ନୂଆ ଏନଏସି ସହିତ ୭ଟି ନୂଆ ମ୍ୟୁନିସିପାଲଟି ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ତା ପରେ ବି ଏମିତି ଅନେକ ଅଞ୍ଚଳ ଅଛି, ଯାହାକି ଏନଏସି ଆଉ ମ୍ୟୁନିସିପାଲଟି ଲିଷ୍ଟରୁ ବାଦ୍ ପଡିଛି । କଟକ ଜିଲ୍ଲାର ତିନିଟି ଅଞ୍ଚଳକୁ ଏନଏସି ମାନ୍ୟତା ଦିଆଯାଇଥିଲେ ବି, କେନ୍ଦ୍ରାପଡ଼ାକୁ ଗୋଟିଏ ବି ନୂଆ ଏନଏସି ନ ମିଳିବା ଏବେ ଅସନ୍ତୋଷର କାରଣ ସାଜିଛି । କେନ୍ଦ୍ରାପଡ଼ାର ମାର୍ଶାଘାଇ ଆଉ ଆଳି ଏଥର ଏନଏସି ହେବା ଅପେକ୍ଷାରେ ଥିଲେ । ହେଲେ ମୋହନ ସରକାର ଏ ଦୁଇ ଅଞ୍ଚଳକୁ ଏନଏସି ଘୋଷଣା ନ କରିବା ପରେ, ଅସନ୍ତୋଷ କୁହୁଳିବାରେ ଲାଗିଛି ।

ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀକୁ ମୋହନ ସରକାର ଏନଏସି ମାନ୍ୟତା ଦେଇଛନ୍ତି । ହେଲେ ବାଦ୍ ପଡ଼ିଛି ବେଗୁନିଆ ଆଉ ବୋଲଗଡ଼ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ବେଗୁନିଆ ଆଉ ବୋଲଗଡ଼କୁ ଏନଏସି ଘୋଷଣା ନକରନ୍ତି ତେବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ।

ଏନଏସି, ମ୍ୟୁନିସିପାଲଟି ଘୋଷଣା ମୋହନ ସରକାରକୁ ବୁଷ୍ଟର ଡୋଜ୍ ଦେବ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି । ହେଲେ ତା ଭିତରେ କିନ୍ତୁ ଯେଉଁ ଜାଗାକୁ ଏନଏସି ଆଉ ମ୍ୟୁନିସିପାଲଟି ମାନ୍ୟତା ମିଳିଲାନି, ସେ ଅଞ୍ଚଳବାସୀଙ୍କ ଅସନ୍ତୋଷ ମୋହନ ସରକାରକୁ ଅଡୁଆରେ ପକାଇପାରେ ।