କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ରାଜ୍ୟର ଚାରି ପ୍ରାନ୍ତରେ ବର୍ଷପୂର୍ତ୍ତି ପାଳନ କରି ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର । ଏହି ସରକାର ସବୁ ଅଞ୍ଚଳ ସହ ସବୁ ବର୍ଗଙ୍କୁ ଗୁରୁତ୍ବ ଦେଉଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଳାରେ ଯୁବ ଶକ୍ତି ସମାବେଶ କରି ଯୁବବର୍ଗଙ୍କୁ ଦେଖାଇଛନ୍ତି ସୁନେଲି ସ୍ବପ୍ନ ।
କଟକରେ ନାରୀ ଶକ୍ତି, ବଲାଙ୍ଗୀରରେ କୃଷକ ଶକ୍ତି, ମୟୂରଭଞ୍ଜରେ ଆଦିବାସୀ ଶକ୍ତି ପରେ ଗଞ୍ଜାମର ଆସ୍କାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶର ଆୟୋଜନ କରିଛନ୍ତି ମୋହନ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍ ସାମିଲ ହୋଇ ଯୁବ ବର୍ଗଙ୍କୁ ଉତ୍ସାହିତ କରିଛନ୍ତି । ଯୁବବର୍ଗଙ୍କୁ ପରାମର୍ଶ ଦେଇ କହିଛନ୍ତି....
- ପ୍ରତିଭାଙ୍କୁ ଜାଣନ୍ତୁ, ତା’ ବିକାଶ ପାଇଁ କାମ କରନ୍ତୁ
- ନିଜର ଚିନ୍ତାଧାରାକୁ ବିଶ୍ବସ୍ତରୀୟ କରନ୍ତୁ
- ସବୁବେଳେ ଭାବନ୍ତୁ ଯେ MUST BE THE BEST । ତା’ହେଲେ ଆପଣ ସବୁ କରିପାରିବେ
- ଦେଢ଼ କୋଟିରୁ ଅଧିକ ଯୁବ ବର୍ଗ ଯେତେବେଳେ ସଫଳ ହେବେ, ସେତେବେଳେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ହେବ
କେବଳ ଉତ୍ସାହିତ କରିନାହାନ୍ତି, ବରଂ ଓଡ଼ିଶାରେ ସେମାନଙ୍କ ପାଇଁ କେମିତି ଅପାର ସମ୍ଭାବନା ରହିଛି ତାହା ସାମନାରେ ରଖିଛନ୍ତି ।
- ଓଡ଼ିଶାରେ ପ୍ରଡକ୍ଟିଭ ଏଜ୍ ଗ୍ରୁପରେ ୧୫ ରୁ ୩୫ ବର୍ଷ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି
- ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଭବିଷ୍ୟତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି
- ନିଯୁକ୍ତି ଯୋଗ୍ୟ କରିବା ପାଇଁ ୫୮ ଟି କଲେଜରେ ଶିଳ୍ପ ସମ୍ପର୍କ ଓ ବ୍ୟାବହାରିକ ଶିକ୍ଷା ଜ୍ଞାନରେ ତାଲିମ ଦିଆଯାଉଛି
- କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ବଢ଼ାଇବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି
- ମାତ୍ର ୧୫୦ ଦିନ ମଧ୍ୟରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି
- ପ୍ରକଳ୍ପ ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ମିଳିବା ନିଶ୍ଚିତ ହୋଇଛି
ଏହି ଅବସରରେ ଗଞ୍ଜାମବାସୀଙ୍କୁ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଥିସହ ମା’ ତାରା ତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲସରାରେ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।