କନକ ବ୍ୟୁରୋ: ସରକାରୀ ଯୋଗାଣ ବ୍ୟବସ୍ଥାରେ ବଡ଼ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର। ଏହି କ୍ରମରେ ସ୍ବଚ୍ଛତା ପାଇଁ ଇ-କେୱାଇସି ଅପଡେଟ କରାଯାଉଛି। କିନ୍ତୁ ଗରିବଙ୍କ ହକ୍ ବାଟମାରଣା କରୁଥିବା ଅଧିକାରୀଙ୍କୁ ଛଡ଼ାଯିବନି ବୋଲି ସ୍ପଷ୍ଟ ସନ୍ଦେଶ ଦିଆଯାଇଛି। ସରକାର କହିଛନ୍ତି, ୧୩୩ ଯୋଗାଣ ଅଫିସରଙ୍କ ଉପରେ ନଜର ରହିଛି।
ଚାଉଳ ବାଟମାରଣା, ରାସନ କାର୍ଡ ଦୁର୍ନୀତିକୁ ନେଇ ଉଠୁଛିପଡୁଛି ଓଡିଶା । ଭୂତ ହିତାଧିକାରୀଙ୍କୁ ନେଇ ଆକ୍ସନମୋଡକୁ ଆସିଛନ୍ତି ସରକାର । ସ୍ବଚ୍ଛତା ଆଣିବାକୁ ଇ-କେୱାଇସି ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଯେଉଁମାନେ ଏଭଳି ଦୁର୍ନୀତିକୁ ପ୍ରଶୟ ଦେଇଥିଲେ, ଗରିବଙ୍କ ଚାଉଳ ଓ ରାସନ ସାମଗ୍ରାକୁ ବାଟମାରଣା କରୁଥିଲେ ସେମାନଙ୍କ ନିଦ ହଜାଇ କଡା ସନ୍ଦେଶ ଦେଇଛନ୍ତି ନୂଆ ସରକାର। ଶତାଧିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ଜାରି କରିଛନ୍ତି ସରକାର । ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି,
-୩ ବର୍ଷରେ ୭୪ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
-ସେଥିମଧ୍ୟରୁ ୫୯ ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି
ମୁଖ୍ୟମନ୍ତ୍ରୀ ମୋହନ ମାଝି କହିସାରିଛନ୍ତି, ଦୁର୍ନୀଗସ୍ତ ଅଫିସରଙ୍କୁ ନିସ୍ତାର ନାହିଁ । ପ୍ରତ୍ୟେକ ଦିନ କିଏ ନା କିଏ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଯୋଗାଣ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ।
ଯେହେତୁ ହିତାଧିକାରୀଙ୍କ ପାଖକୁ ଯାଉଥିବା ସାମଗ୍ରୀର ସିଂହଭାଗ ଏହି ଯୋଗାଣ ବିଭାଗ ଅଧିନରେ ଆସୁଛି, ତେଣୁ ବିଭାଗର ଅନେକ ଅଧିକାରୀ ଦୁର୍ନୀତି କରିବାକୁ ପଛାଉନାହାନ୍ତି । ଆଉ ମୋହନ ସରକାରଙ୍କ କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ପରେ ଦୁର୍ନୀତିଖୋର ଅଧିକାରୀଙ୍କ ମନରେ ଛନକା ପଶିଛି ।