କନକ ବ୍ୟୁରୋ: ରାଜଧାନୀ ଛାଡିବେ, ଜିଲ୍ଲା ବୁଲିବେ। ଲୋକଙ୍କ ସମସ୍ୟା ଶୁଣିବେ ଏବଂ ସମାଧାନର ବାଟ ବାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରିପୋର୍ଟ ରଖିବେ। ବିକଶିତ ଓଡ଼ିଶା ଗଠନ ଦିଗରେ ଗୁରୁଦାୟିତ୍ବ ତୁଲାଇବେ ପ୍ରଭାରୀ ମନ୍ତ୍ରୀ।

Advertisment
  • ମୋହନ ସରକାରଙ୍କ ନୂଆ ଶାସନ ଷ୍ଟାଇଲ
  • ଜିଲ୍ଲା ଦାୟିତ୍ବ ନେବେ ‘ପ୍ରଭାରୀ ମନ୍ତ୍ରୀ’

ଲୋକସେବା ଭବନରେ ନୁହେଁ ଏଣିକି ଲୋକଙ୍କ ପାଖକୁ ଯାଆନ୍ତୁ ମନ୍ତ୍ରୀ। କିଛି ଏଭଳି ଆଭିମୁଖ୍ୟ ସହ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଫର୍ମୁଲାକୁ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକଶିତ ଓଡ଼ିଶା ପାଇଁ ବିଜେପି ସରକାରର ଭିନ୍ନ ଏକ ଷ୍ଟ୍ରାଟେଜି। ରାଜ୍ୟ ବିକାଶର ଚିତ୍ର ଏଣିକି କେବଳ ରାଜଧାନୀରେ ସୀମିତ ରହିବନି। ବରଂ ପ୍ରତି ଜିଲ୍ଲାକୁ ବ୍ୟାପିବ ବିକାଶର ବହ୍ନି। ଏଥିପାଇଁ ପ୍ରଭାରୀ ମନ୍ତ୍ରୀ ଭାବେ ୨ ଉପ ମୁଖ୍ୟମନ୍ତ୍ରୀ ଓ ୧୩ ମନ୍ତ୍ରୀଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କଣ କରିବେ ପ୍ରଭାରୀ ମନ୍ତ୍ରୀ?

  • ଲୋକାଭିମୁଖୀ ପ୍ରକଳ୍ପର ଅଗ୍ରଗତି ପାଇଁ ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା
  • ସରକାରୀ ଯୋଜନା ପ୍ରଣୟନର କରିବେ ତଦାରଖ
  • ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବେ

ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପୂରା କରିବା ଦିଗରେ କାମ କରିବେ ପ୍ରଭାରୀ ମନ୍ତ୍ରୀ। 
ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାରୀ ମନ୍ତ୍ରୀ ଦାୟିତ୍ବ ବଣ୍ଟନକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡ଼ି କହିଛି, ନୂଆ ସରକାରକୁ ୬ ମାସ ବିତିଲାଣି କିନ୍ତୁ କାମ ଶୂନ। ଏବେ ପ୍ରଭାରୀ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ ମିଳିଛି, ଆଉ ୬ ମାସ ଅପେକ୍ଷା କରନ୍ତୁ। ସବୁ ଜାଣିପାରିବେ ରାଜ୍ୟବାସୀ। ଅନ୍ୟପଟେ ବିଜେଡିକୁ କାଉଣ୍ଟର କରି ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ ବିଧାୟକ, ମନ୍ତ୍ରୀ ଓ ସଚିବ କେତେଥର ଜିଲ୍ଲାକୁ ଯାଉଥିଲେ ତାହା ଓଡ଼ିଶାବାସୀ ଦେଖିଛନ୍ତି। ମୋହନ ସରକାରର ଏହି ମଡେଲ ଚାଲିଲେ ୩ ବର୍ଷରେ ଅନ୍ୟ ରାଜନୈତିକ ଦଳକୁ ଭୁଲିଯିବେ ରାଜ୍ୟବାସୀ। 

ତେବେ ପ୍ରଭାରୀ ମନ୍ତ୍ରୀ ପ୍ରତି ମାସରେ ଦାୟିତ୍ବରେ ଥିବା ଜିଲ୍ଲାକୁ ଯିବା ସହ ପ୍ରତିଟି କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ଦେବେ। ଏବେ ଅପେକ୍ଷା, ମୋହନ ସରକାରଙ୍କ ଏହି ନୂଆ ଶାସନ ଷ୍ଟାଇଲ ଜିଲ୍ଳାର ଭାଗ୍ୟ ବଦଳାଇବ ଦେବ କି?