କନକ ବ୍ୟୁରୋ : ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । ଜରାଜୀର୍ଣ୍ଣ ଓ ଦୂଷିତ ହୋଇ ପଡ଼ିରହିବନି ମହାନଦୀ ତଟ । ସୌନ୍ଦର୍ଯ୍ୟୀକରଣ ପାଇଁ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ୩ ବର୍ଷ ପରେ ଆଖି ଝଲସାଇ ଦେବ ମହାନଦୀର ତଟ ।
ବହୁ ପ୍ରତୀକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ୩ ବର୍ଷରେ ବଦଳିଯିବ ମହାନଦୀ ନଦୀତଟର କାୟାକଳ୍ପ । ସମ୍ବଲପୁର ମନ୍ଦଲିଆରୁ ଚଉଁରପୁର, ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ନଦୀକୂଳ ଘାଟ ପାଇବ ନୂଆ ରୂପ । ମନ୍ଦଲିଆରୁ ଚଉଁରପୁର ନଦୀକୂଳର ନବକଳେବର ।ପାର୍କ, ଖୋଲା ଜିମ୍, ଘାଟର ଉନ୍ନତୀକରଣ, ଆରତି ଘାଟ । ଜଗିଂ ଓ ସେଲ୍ଫି ପଏଣ୍ଟ, ସ୍ନାନଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟର ନିର୍ମାଣ ହେବ । ୧୬୦ କୋଟି ଟଙ୍କା ହେବ ଖର୍ଚ୍ଚ ।
ସେହିପରି ଆଖି ଝଲସାଇ ଦେବ କୁଆଖାଇ ଓ କୁଶଭଦ୍ରା ନଦୀତଟ । ନଦୀକୂଳ ଘାଟର ବିକାଶ, ଭାସମାନ ଜେଟି, ଲକ୍ଗେଟ୍, ସେତୁ, ପାର୍କିଂ, କାଫେଟେରିଆ, ରିଂରୋଡ୍ ସଂଲଗ୍ନ ଦୃଶ୍ୟ ପଏଣ୍ଟ ବିକାଶ, ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ ହେବ । ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୮୦ କୋଟି ।
ମହାନଦୀ କୂଳର ନବକଳେବର ଦ୍ୱାରା ଓଡ଼ିଶା ପର୍ଯ୍ୟଟନକୁ ମିଳିବ ବୁଷ୍ଟରଡୋଜ । ମହାନଦୀ ଅବବାହିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ । ଧାର୍ଯ୍ୟ ସମୟ ସୀମା ଭିତରେ ନିଜସ୍ୱ ପାଣ୍ଠିରୁ ଏଥିପାଇଁ ଖର୍ଚ୍ଚ କରିବେ ସରକାର ।
ପୂର୍ବ ସରକାର ସମୟରେ ମହାନଦୀ ତଟକୁ ସୁରକ୍ଷା ଦେବାକୁ ସବୁଜବଳୟ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ରାଜ୍ୟ ବଜେଟରୁ କୋଟି କୋଟି ଖର୍ଚ୍ଚ ହେଲା । ହେଲେ ଲକ୍ଷ୍ୟ ପୂରଣ କରିବାରେ ଫେଲ ମାରିଥିଲେ ପୂର୍ବ ସରକାର ।