କନକ ବ୍ୟୁରୋ: ବିବାଦରୁ ଜନ୍ମ ନେଇଥିବା ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପ ଫାଇଲ ବିରୋଧାଭାସ ଓ ନ୍ୟାୟ ଲଢେଇରେ ଶେଷ ନିଶ୍ବାସ ନେଇଛି। ବିଧାନସଭାରେ ପାରିତ ବିଲ ରାଜଭବନରେ ପଡିଥିଲା। ଆଜି ସରକାର ପ୍ରକଳ୍ପ ପାଇଁ ଅଧିଗ୍ରହଣ କରିଥିବା ଜମି ଫେରାଇବାକୁ ନିଷ୍ପତ୍ତି ନେଇଗଲେ।
- ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ହେଲା ବଡ ନିଷ୍ପତ୍ତି
- ୧୮ ବର୍ଷ ତଳେ ସରକାର କରିଥିବା ପାପ ଧୋଇଲା ବିଜେପି
- ଅଧିଗ୍ରହଣ ଜମିକୁ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ କଲେ ସରକାର
ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ସମାଧି ନେଲା। ଏହାସହ ୧୮ ବର୍ଷ ଧରି ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ନେଇ ସରକାର ମୁଣ୍ଡରେ ଲାଗିଥିବା କଳଙ୍କ ଧୋଇବା ପ୍ରକିୟା ଆରମ୍ଭ ହୋଇଛି। ସେବେ ତତ୍କାଳୀନ ବିଜେପି ମନ୍ତ୍ରୀ ରାଜସ୍ବ ବିଭାଗରେ ଥାଇ ଠାକୁରଙ୍କ ଜମି ବେଦାନ୍ତ ହାତକୁ ଟେକି ଦେଇଥିଲେ। ଏବେ ସରକାରକୁ ଆସିବା ପରେ ବିବାଦୀୟ ବେଦାନ୍ତ ଜମି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଗଣମାଧ୍ୟମ ସାମ୍ନାକୁ ଆସି ରାଜସ୍ବ ମନ୍ତ୍ରୀ କହିଛନ୍ତି, ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଫେରିବ। ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। କିନ୍ତୁ ସରକାର ସର୍ତ୍ତ ରଖିଛନ୍ତି, ଜମି ବାବଦକୁ ନେଇଥିବା ଟଙ୍କା ଫେରସ୍ତ ହେବା ପରେ ଏହି ଜମି ମାଲିକଙ୍କ ନାଁକୁ ଫେରିବ।
- ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ପଡିବ ଯବନିକା
- ସୁରକ୍ଷିତ ରହିବ ମହାପ୍ରଭୁଙ୍କ ଅମୃତମଣୋହି ଜମି
ସେଦିନ ଥିଲା ୧୯ ଜୁଲାଇ ୨୦୦୬। ବେଦାନ୍ତ ଫାଉଣ୍ଡସେନ ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ ତତ୍କାଳୀନ ନବୀନ ସରକାର। ଅନୀଲ ଅଗ୍ରୱାଲଙ୍କ ଉପସ୍ଥିତିରେ ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତି ପଡିଥିଲା ସଚିବାଳୟରେ। ପୁରୀରେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ପ୍ରାୟ ୮ ହଜାର ଏକର ଜମି ବେଦାନ୍ତ ହାତକୁ ଟେକି ଦେଇଥିଲେ ପୂର୍ବ ସରକାର। ସେବେ ଭାଗୁଆଳୀ ସରକାରରେ ରାଜସ୍ବ ମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଆଇନ ମନ୍ତ୍ରୀ ଦାୟିତ୍ବ ତୁଲାଉଥିଲେ ବିଶ୍ବଭୂଷଣ ହରିଚନ୍ଦନ। ଆଇନ ମନ୍ତ୍ରୀଙ୍କ ବିରୋଧ ସତ୍ତ୍ବେ ସବୁ ବିଧି ବ୍ୟବସ୍ଥାକୁ ମୋଡି ମକଚି ବେଦାନ୍ତ ହାତକୁ ଟେକି ଦିଆଯାଇଥିଲା ଚାଷୀ ଓ ମହାପ୍ରଭୁଙ୍କ ଅମୃତମଣୋହି ଜମି।
ବେଆଇନ ଭାବେ ତୃତୀୟ ମହଲାରୁ ଜନ୍ମ ନେଇଥିବା ଏହି ବେଦାନ୍ତ ଫାଇଲକୁ ନେଇ ଜୋରଦାର ହୋଇଥିଲା ବିରୋଧ। ଲୋକପାଳ ତୃତୀୟ ମହଲାର ଭୂମିକା ଉପରେ ଆଙ୍ଗୁଳି ଉଠାଇଥିଲେ। କେବଳ ସେତିକି ନୁହେଁ ଆଇନଗତ ଲଢେଇରେ ତତ୍କାଳୀନ ସରକାର ହାଇକୋର୍ଟରେ ହାରିଥିଲେ ଓ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଭର୍ତ୍ସିତ ହୋଇଥିଲେ। କୋର୍ଟ ସ୍ପଷ୍ଟ ଭାବେ କହିଥିଲେ, ଅଧିଗ୍ରହଣ ଜମି ଫେରାଅ। ହେଲେ ଏହାକୁ କାର୍ଯ୍ୟକାରୀ କରିନଥିଲେ ତତ୍କାଳୀନ ନବୀନ ସରକାର। ଏବେ ସରକାରଙ୍କ ନିଷ୍ପତ୍ତି ପରେ ୬ ହଜାର ଚାଷୀ ପରିବାର, ୩୦ ହଜାର ଲୋକଙ୍କ ମୁହଁରେ ହସ ଫୁଟିଛି।
ଜନ୍ମ ନେବା ପୂର୍ବରୁ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଚ୍ଛେଦ ପଡିଲା। ପୂର୍ବରୁ ଏ ସଂକ୍ରାନ୍ତ ବିଲକୁ ରାଜ୍ୟପାଳ ଅଟକାଇ ରଖିଥିଲେ। ଏବେ କିନ୍ତୁ ପ୍ରଶ୍ନ ଉଠୁଛି, ଏତେ ବର୍ଷର କେଳେଙ୍କାରୀରେ ସାମିଲ ଥିବା ମହାନାୟକ ମାନଙ୍କୁ ଛାଡିଦେବେ କି ମୋହନ ସରକାର? ଚାପି ହୋଇଯିବ କି ଲୋକପାଳଙ୍କ ରିପୋର୍ଟ। ଏହା ଉପରେ ପୂରା ରାଜ୍ୟର ନଜର ରହିଛି।