କନକ ବ୍ୟୁରୋ : ଗୋଟିଏ ବର୍ଷ ଧରି ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଭୁବନେଶ୍ୱରବାସୀଙ୍କ ସ୍ୱପ୍ନ ପୂରଣ ହେବ ନା ମେଟ୍ରୋ ଦିବା ସ୍ୱପ୍ନ ହୋଇ ରହିଯିବ ? ଏଭଳି କଳ୍ପନା ଜଳ୍ପନା ଭିତରେ ପୁଣି ମୋହନ ସରକାର ମେଟ୍ରୋ ପ୍ରକଳ୍ପର ଆଶା ଦେଖାଇଛନ୍ତି । ଭୁବନେଶ୍ୱରରେ ଗଡ଼ିବ ବହୁ ପ୍ରତୀକ୍ଷିତ ମେଟ୍ରୋ ଟ୍ରେନ୍ । ଏଥିପାଇଁ କିନ୍ତୁ ବିଳମ୍ୱ ହୋଇପାରେ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରିସ୍ତରୀୟ ସବକମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ପାଇଁ ଖୁବଶୀଘ୍ର କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ । 

Advertisment

କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ ହେବ
ଏଥିପାଇଁ ଗଠନ ହୋଇଛି ବୈଷୟିକ ଟିମ୍
ଯେଉଁ କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ 
ନୂଆ ଟ୍ରାକ୍‌ ନେଇ କମିଟି ରିପୋର୍ଟ ଦେବ 
କେଉଁ ଲାଇନରେ ଟ୍ରାକ୍‌ ଓ କେଉଁଠି ପାର୍କିଙ୍ଗ ହେବ ଟେକ୍ନିକାଲ କମିଟି ରିପୋର୍ଟ ଦେବେ 
ଏପରିକି ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯିବ

ପୁରୁଣା ସରକାରଙ୍କ ପୁରୁଣା ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିଛନ୍ତି ନୂଆ ସରକାର । ଟ୍ରାଫିକ ଜାମ୍‌ ଓ ଅନ୍ୟ କିଛି କାରଣରୁ ଏହି ପ୍ରକଳ୍ପକୁ ବନ୍ଦ କରାଯାଇଛି । ହେଲେ ବହୁ ଦିନ ଧରି ମେଟ୍ରୋ ପ୍ରକଳ୍ପ ବାବଦରେ ରାଜଧାନୀବାସୀଙ୍କୁ ଦ୍ୱନ୍ଦ୍ବରେ ପକାଇଥିଲେ ସରକାର । ପ୍ରଥମେ କୁହାଗଲା ପ୍ରକଳ୍ପର ରୁଟ୍‌ ପରିବର୍ତ୍ତନ ହେବ। ତା’ପରେ କୁହାଗଲା ଭୁବନେଶ୍ୱରରୁ କଟକ ବଡ଼ ମେଡିକାଲକୁ ଗଡ଼ିବ ମେଟ୍ରୋ । ପରେ ମନ୍ତ୍ରୀ କହିଲେ ମାଟି ତଳେ ମେଟ୍ରୋ ଚାଲିବ । ଏଭଳି ଭିନ୍ନ ଭିନ୍ନ ତଥ୍ୟ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଥିଲା । ଏବେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, କମିଟି ରିପୋର୍ଟ ପରେ ପରବର୍ତ୍ତୀ ପଦକ୍ଷେପ ନେବେ ସରକାର । ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ପ୍ରକଳ୍ପ ପାଇଁ ସଏଲ ଟେଷ୍ଟିଂ ସହ ବିଭିନ୍ନ ପ୍ରକାର ସର୍ଭେ କରାଯାଇଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିପିଆର ମଧ୍ୟ ପ୍ରସ୍ତୁତ ହୋଇଥିଲା । ସରକାରୀ ରାଜକୋଷରୁ ଅର୍ଥ ବିନିଯୋଗ କରିବା ପରେ ଏବେ ନୂଆ କଥା ବିଚାର କରାଯାଉଛି । ତେଣୁ ପ୍ରଶ୍ନ ଉଠୁଛି ମେଟ୍ରୋ ପ୍ରକଳ୍ପ କେବେ ଆରମ୍ଭ ହେବ? କେବେ ସୁଦ୍ଧା ସରିବ? କେଉଁ ରୁଟ୍‌ ଦେଇ ଯିବ ତାହା ସ୍ପଷ୍ଟ କରିନାହାନ୍ତି ସରକାର ।