କନକ ବ୍ୟୁରୋ: ବାକି ଥିବା ସୁଭଦ୍ରା ଆବେଦନକାରୀଙ୍କୁ କେବେ ମିଳିବ ଟଙ୍କା? ଆଉ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ନା ନାହିଁ? ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କି ମାରୁଥିବା ଆଶସ୍ତିକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

ସୁଭଦ୍ରା ଟଙ୍କା ପାଇଁ ଲକ୍ଷ ଲକ୍ଷ ମହିଳା ଅପେକ୍ଷା କରିବାବେଳେ, ଦଶହରାରେ ବଡ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର । ପ୍ରଶାସନିକ ପ୍ରସ୍ତୁତି ପରେ ଏନେଇ ବଡ ଘୋଷଣା କରିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯୋଜନା ଅନୁସାରେ ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଏଥର ୪୦ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ ।

ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ। ବଳକା ଆବେଦନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା । ଏବେସୁଦ୍ଧା ୯୭ ଲକ୍ଷ ମହିଳା ସୁଭଦ୍ରା ହିତାଧିକାରୀ ହେବାକୁ ଆବେଦନ କଲେଣି । ଅନ୍ୟପଟେ ୪୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ନାଁ ନଥିଲେ ବି ବ୍ୟସ୍ତ ନହେବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ । ତେବେ ବିରୋଧୀ ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ ମାରିଛନ୍ତି କଟାକ୍ଷର ବାଣ । ସୁଭଦ୍ରା ହିତାଧିକାରୀ ହେବାକୁ ଗାଁ ଗାଁରେ ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହେଉଛି। ସରକାରଙ୍କ ଲକ୍ଷ୍ୟ ମହିଳାଙ୍କୁ ସଶକ୍ତ, ସମ୍ମାନିତ, ସ୍ୱାଭିମାନୀ ଓ ସମୃଦ୍ଧି କରିବ ସୁଭଦ୍ରା ।