କନକ ବ୍ୟୁରୋ: ମୋହନ ସରକାରକୁ ବର୍ଷେ ପୂରିଛି । ଏହି ବର୍ଷେ ଅବଧିରେ ଲୋକଙ୍କ ସରକାର ଲୋକଙ୍କ ନିକଟତର ହୋଇଛନ୍ତି । ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାଁରୁ ଗାଁ ବୁଲି ସରକାରଙ୍କ ସଫଳତା ବାର୍ତ୍ତା ପହଞ୍ଚାଇବ ବିକାଶ ବାହନ । ସରକାରଙ୍କ ଯୋଜନାକୁ ନେଇ ସମସ୍ୟା ଥିଲେ ଲୋକଙ୍କଠାରୁ ଶୁଣିବା ପରେ ଅଧିକାରୀ ଏହାର ସମାଧାନ ବାଟ ବତାଇବେ । ଅନ୍ୟପଟେ ଅପହଞ୍ଚ ଥିବା ତୃତୀୟ ମହଲା ଓ ଜନତାଙ୍କ ମଧ୍ୟରେ ଏବେ ଦୂରତା ନାହିଁ ବୋଲି କହି ପୂର୍ବ ସରକାରକୁ ତେରଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାର ବର୍ଷେ ଭିତରେ ସମସ୍ତ ୩୦ ଜିଲ୍ଲା ଗସ୍ତ କରି ଓଡ଼ିଶାର ବିକାଶ ପାଇଁ ନକ୍ସା ଆଙ୍କିଛନ୍ତି । ଏପରିକି ତୃଣମୂଳସ୍ତରରେ ଅର୍ଥାତ ଗାଁ ଗାଁରେ କିଭଳି ବିକାଶ ପହଞ୍ଚିବ ସେଥିପାଇଁ ରୋଡ୍ମ୍ୟାପ ପ୍ରସ୍ତୁତ ସରିଛି । ଆଗାମୀ ଦିନରେ ୧୪୭ ନିର୍ବାଚନମଣ୍ଡଳୀ ବୁଲିବାକୁ ଯୋଜନା କରିଛନ୍ତି ମୋହନ ।
ବର୍ଷକର ଉପଲବ୍ଧି ଭିତରେ ଆଗାମୀ ବର୍ଷ ପାଇଁ ରୋଡ୍ମ୍ୟାପ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର । ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ ସହ ବିକାଶକୁ କିଭଳି ରକେଟ୍ ବେଗରେ ଆଗକୁ ବଢ଼ିବ ସେଥିପାଇଁ ମୋହନଙ୍କ କ୍ୟାବିନେଟ୍ ସହଯୋଗୀ ମଧ୍ୟ ଅଣ୍ଟା ଭିଡିଛନ୍ତି । ସମସ୍ତ ମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ୮୦ ଭାଗ କାମ ସାରିଛୁ, ହାତରେ ୪ ବର୍ଷ ସମୟ ଅଛି ଆଉ ୨୦ ପ୍ରତିଶତ କାମ ସାରିବୁ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଜିଲ୍ଳାକୁ ଯାଇ ବର୍ଷକର ଉପଲବ୍ଧି ବଖାଣିଛନ୍ତି ମୋହନଙ୍କ କ୍ୟାବିନେଟ ସହଯୋଗୀ ।
ବର୍ଷେ ଶାସନ କାଳରେ ଅନେକ ଚ୍ୟାଲେଞ୍ଜ ଓ ବିରୋଧୀଙ୍କ କଟାକ୍ଷ ଭିତରେ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି ମୋହନ ସରକାର । କିନ୍ତୁ ବିରୋଧୀ ଏବେ ଜନଜାଗରଣ ଜରିଆରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ଆଗାମୀ ବର୍ଷ ଗୁଡିକ ବିଜେପି ପାଇଁ ଅନେକ ଆହ୍ବାନ ସୃଷ୍ଟି କରିବ ।