କନକ ବ୍ୟୁରୋ: ଗଲା କିଛି ମାସ ହେଲା ରାଜ୍ୟରେ ମନ୍ତ୍ରିମଣ୍ଡଳ ବଦଳିବା ନେଇ ଚର୍ଚ୍ଚା ହୋଇଆସୁଛି । ମୋହନ କ୍ୟାବିନେଟରେ ଏବେ ବି ୬ଟି ମନ୍ତ୍ରିପଦ ଖାଲି ପଡ଼ିଥିବାରୁ, ଏହି ଖାଲି ଜାଗାରେ କେଉଁ ବିଧାୟକ ମନ୍ତ୍ରୀ ହେବେ ତାକୁ ଆଲୋଚନା ବଢ଼ୁଛି । କୁହାଯାଇଛି ସେପ୍ଟେମ୍ବର ମାସ ଭିତରେ ହିଁ ବଦଳିବ ମୋହନଙ୍କ ମନ୍ତ୍ରିମଣ୍ଡଳ ।

Advertisment

ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହେଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ କ୍ୟାବିନେଟରେ କେବଳ ୧୫ ଜଣ ମନ୍ତ୍ରୀ ସାମିଲ ଅଛନ୍ତି । କିଛି ମନ୍ତ୍ରୀଙ୍କୁ ଦୁଇରୁ ତିନିଟି ବିଭାଗର ମନ୍ତ୍ରିପଦ ମଧ୍ୟ ମିଳିଛି, ତେଣୁ ଏହି ସବୁ ମନ୍ତ୍ରୀଙ୍କ ପାଖରୁ ଦାୟିତ୍ୱ ହଟେଇ, କିଛି ନୂଆ ବିଧାୟକଙ୍କୁ ମନ୍ତ୍ରିପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏଥର ଇଲେକ୍ସନରେ ୭୮ ଆସନ ଜିତି ସରକାରକୁ ଆସିଛି ବିଜେପି । ଯେଉଁଥିରେ ୫୪ ଜଣ ନୂଆ ବିଧାୟକ ରହିଥିବାବେଳେ, ୨୪ ଜଣ ହେଉଛନ୍ତି ପୁରୁଣା ବିଧାୟକ । ତେବେ ଏହି ବିଧାୟକମାନଙ୍କ ଭିତରୁ କିଛି ନେତାଙ୍କୁ ନୂଆକରି ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସହିତ ବର୍ତ୍ତମାନ ମନ୍ତ୍ରୀ ଥିବା କିଛି ନେତାଙ୍କୁ ପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟରେ ବିଜେପି ସରକାରକୁ ଏହା ଭିତରେ ଦେଢ଼ ବର୍ଷ ବିତିଲାଣି । ତେଣୁ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ଏହି ମାସରେ ହିଁ ମନ୍ତ୍ରିମଣ୍ଡଳ ବଦଳିବ । ଏହାସହିତ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଏହି ମାସରେ ଶେଷ ହେବ । କୁହାଯାଇଛି, ଦିଲ୍ଲୀରେ ହିଁ ସବୁତକ ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ନାଁ ନେଇ ଚୂଡ଼ାନ୍ତ ମୋହର ବାଜି ସାରିଛି । ଯେହେତୁ ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି, ତେଣୁ ତା ପୂର୍ବରୁ ମନ୍ତ୍ରିମଣ୍ଡଳ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । 

ଖାଲିପଡ଼ିଛି ୬ ମନ୍ତ୍ରୀ ପଦ?

ଏଥର ଇଲେକ୍ସନରେ ୭୮ ଆସନ ଜିତି ସରକାରକୁ ଆସିଛି ବିଜେପି । ଯେଉଁଥିରେ ୫୪ ଜଣ ନୂଆ ବିଧାୟକ ରହିଥିବାବେଳେ, ୨୪ ଜଣ ରହିଛନ୍ତି ପୁରୁଣା ବିଧାୟକ । ନିୟମ ମୁତାବକ, ଏହା ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ୧୫  ଜଣ ନେତା ଅଛନ୍ତି । ତେଣୁ ଏବେ ବି ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି ।

ଆଶାୟୀ ଅନେକ, କାହାକୁ ମିଳିବ ମନ୍ତ୍ରୀ ପଦ?

ଚର୍ଚ୍ଚା ହେଉଛି ଏଥର କିଛି ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିପାରେ । ଏହାସହ କିଛି ମନ୍ତ୍ରୀଙ୍କ ପାଖରୁ କ୍ଷମତାକୁ ମଧ୍ୟ ହଟାଯାଇପାରେ । ରିପୋର୍ଟ କାର୍ଡ ଅନୁସାରେ ଏହି ସବୁ ନିଷ୍ପତ୍ତି ନିଆଯିବ । ଆଉ ଚର୍ଚ୍ଚା ଅନୁସାରେ ମନ୍ତ୍ରୀ ହେବା ରେସରେ ଏବେ ଏକାଧିକ ବିଧାୟକ ଆଗରେ ରହିଛନ୍ତି । ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଧାନସଭାକୁ ଆସିଥିବା ବିଜେପି ବିଧାୟକ ଅମର ନାୟକ, ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା କୋରେଇ ବିଧାୟକ ଆକାଶ ଦାଶ ନାୟକ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସହିତ ସମ୍ବଲୁପର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ମନ୍ତ୍ରୀ ହେବା ରେସରେ ଅଛନ୍ତି । ତାଙ୍କ ସହିତ ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଭୁବନେଶ୍ୱରରେ ଏକମାତ୍ର ବିଜେପି ବିଧାୟକ ବାବୁ ସିଂ, ଉଦଳାର ବିଧାୟକ ଭାସ୍କର ମଢ଼େଇ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀ ମନ୍ତ୍ରୀ ହେବା ପାଇଁ ଆଶାୟୀଙ୍କ ଲିଷ୍ଟରେ ଅଛନ୍ତି । ଏହାବାଦ ଭଟଲି ବିଧାୟକ ତଥା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚା ଯଦି କିଛିକାଂଶରେ ସତ ହୁଏ, ତେବେ ଏହିମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ।ର୍ଡ, ନିଗମରେ ଥଇଥାନ ହେବେ ନେତା

ରାଜ୍ୟରେ ବିଜେପି ସରକାର ଆସିବା ପରେ ୩୨ଟି ଯାକ ବୋର୍ଡ ଓ ନିଗମରେ ପଦ ଖାଲି ପଡ଼ିଛି । ତେଣୁ ଏହି ସବୁ ପଦରେ ନେତାଙ୍କୁ ଥଇଥାନ କରିବାକୁ ଏବେ ଅଙ୍କ କଷାଯାଉଛି । ଖାସ୍ କରି ଏହି ପଦ ପଦବୀରେ ଦ୍ୱିତୀୟ ପିଢ଼ିର ନେତାଙ୍କୁ ସୁଯୋଗ ମିଳିପାରେ । ଆଉ କିଛି ନେତାଙ୍କୁ ମଧ୍ୟ ଥଇଥାନ କରାଯାଇପାରେ । ଜାଣିରଖିବା ଉଚିତ ଯେ, ବର୍ଷକର ସରକାର ଏ ପର୍ଯ୍ୟନ୍ତ କୌଣସି ନିଗମ, ବୋର୍ଡର ଅଧ୍ୟକ୍ଷ, ସଭାପତି, ବିଭିନ୍ନ କମିସନର କମିସନ ପଦବି, ରାଜ୍ୟ ଓ ଜିଲ୍ଲା ଯୋଜନା ବୋର୍ଡ ସହିତ ବିଭିନ୍ନ ସରକାରୀ ପଦବିରେ କାହାକୁ ବି ନିଯୁକ୍ତ ଦେଇନାହାନ୍ତି । ତେଣୁ ଆଗାମୀ ଦିନରେ ଏହି ସବୁ ପଦରେ ନିଯକ୍ତି ହେବା ଏକପ୍ରକାର ପକ୍କା । ତେଣୁ ଏହାପୂର୍ବରୁ ନିଜ ନିଜର ଗୋଷ୍ଠୀର ନେତାଙ୍କୁ ପଦ ଦେବାକୁ ବିଧାୟକ, ସାଂସଦ ଆଉ ମନ୍ତ୍ରୀମାନେ ମଧ୍ୟ ଲବି କରିବା ଆରମ୍ଭ କଲେଣି ।