କନକ ବ୍ୟୁରୋ: ଆଉ କିଛି ଦିନ ପରେ ନିଜର ଶତ ବାର୍ଷିକୀ ପାଳନ କରିବାକୁ ଯାଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ବିଜୟାଦଶମୀରେ ସଂଘ ନିଜର ୧୦୦ବର୍ଷ ପୂରଣ କରିବାକୁ ଯାଉଛି । ଆଉ ଏହି ଅବସରରେ ସଂଘ ଏକ ବିଶାଳ ଲେକଚର୍ ସିରିଜର ଆୟୋଜନ ହେବାକୁ ଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଲେକଚର୍ ସିରିଜରେ ବିରୋଧୀ ଦଳର କିଛି ନେତାଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ଯାହାକି ସଂଘର ବିରୋଧୀଙ୍କୁ ଦୁର୍ବଳ କରିବାର ଏକ ପ୍ଲାନ୍ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ।
ଆସନ୍ତା ଅଗଷ୍ଟ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ରାଷ୍ଟ୍ରୀୟ ସମ୍ବାଦ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯେଉଁଥିରେ ସଂଘର ସରସଂଘଚାଳକ ମୋହନ ଭାଗବତ ନିଜର ସମ୍ବୋଧନ ରଖିବେ । ହେଲେ ବିଜେପି ଆଉ ସଂଘ ସହ ଏକମତ ନଥିଲେ ବି, କିଛି ବିରୋଧୀ ଦଳର ନେତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମିଳିବା, ଚର୍ଚ୍ଚା ବଢ଼ାଇଛି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ପ୍ରଥମ ଥର ପାଇଁ ଏତେ ବଡ଼ ଆକାରରେ ସଂଘ ନିଜର ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି । ଏକାଥରକେ ଦିଲ୍ଲୀ ସହିତ ମୁମ୍ବାଇ, ବେଙ୍ଗାଳୁରୁ, କୋଲକାତାରେ କାର୍ଯ୍ୟକ୍ରମ ହେବ ।
କେଉଁ କେଉଁ ନେତାଙ୍କୁ ନିମନ୍ତ୍ରଣ?
ଆରଏସଏସର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶଶୀ ଥରରୁ ଏବଂ ମନୀଷ ତିଓ୍ୱାରୀଙ୍କ ଭଳି ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିପାରେ । ଏହାସହ ଏଆଇଏମଆଇଏମ୍ ନେତା ଅସୁଦୁଦ୍ଦିନ ଔବୈସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ବିଭିନ୍ନ ବିରୋଧୀ ଦଳର ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଲିଷ୍ଟରେ ପାଖାପାଖି ୧୦ ଜଣ ନେତାଙ୍କ ନାଁ ଅଛି ।
ଗେଷ୍ଟଙ୍କ ସମ୍ଭାବ୍ୟ ଲିଷ୍ଟରେ ଶଶୀ ଥରୁରଙ୍କ ସହିତ ମନୀଷ ତିଓ୍ୱାରୀ, ଆନନ୍ଦ ଶର୍ମା, ସଲମାନ ଖୁର୍ସିଦ, ଅସଦୁଦ୍ଦିନ ଔବୈସୀ, ପ୍ରିୟଙ୍କା ଚତୁର୍ବେଦୀ, କେ. କରଣାନିଧି, ଗୁଲାମ ନବୀ ଆଜାଦଙ୍କ ଭଳି ନେତାଙ୍କ ନାଁ ରହିଛି ।
କେଉଁ ନେତାଙ୍କୁ ନିମନ୍ତ୍ରଣ କରିନି ସଂଘ
ଆରଏସଏସ୍ ବିରୋଧୀ ରାଜନୈତିକ ଦଳର ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ନମିଳିପାରେ । ଖାସ୍ କରି ଯେଉଁମାନେ ସଂଘର ଏଜେଣ୍ଡାକୁ ଖୋଲାଖୋଲି ବିରୋଧ କରୁଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବନି ସଂଘ । ଆରଏସଏସ୍ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକରଙ୍କ କହିବା ମୁତାବକ, ଆମେ ସମାଜର ସମସ୍ତ ବର୍ଗ, ସମୁଦାୟ ଏବଂ ବିଚାରଧାରା ସହ ଜଡ଼ିତ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିମନ୍ତ୍ରଣ କରାଯିବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବିରୋଧୀ ଦଳର କିଛି ନେତାଙ୍କ ସହ ଏବେ ବି କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି ।