ମୋଦୀଙ୍କ ଚେତାବନୀ, ପୁଣି ଆତଙ୍କୀ ହମଲା କଲେ  ସମ୍ବେଦନଶୀଳତାର ସହ ଦିଆଯିବ ଜବାବ

ପାକିସ୍ତାନରେ ୯ ଆତଙ୍କୀ ଆଡ୍ଡା ଧ୍ବଂସ କରିବା ସହ ଶତାଧିକ ଆତଙ୍କବବାଦୀଙ୍କୁ ମାରିବା ପରେ ଘରେ ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆରମ୍ଭ ହୋଇଛି ଅପରେସନ କେଲର ।

Modia

Photograph: (KanakNews )

କନକ ବ୍ୟୁରୋ, ପାକିସ୍ତାନରେ ୯ ଆତଙ୍କୀ ଆଡ୍ଡା ଧ୍ବଂସ କରିବା ସହ ଶତାଧିକ ଆତଙ୍କବବାଦୀଙ୍କୁ ମାରିବା ପରେ ଘରେ ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆରମ୍ଭ ହୋଇଛି ଅପରେସନ କେଲର । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସହ ସମୟ ବିତାଇବା ସହ ପାକିସ୍ତାନକୁ ଚେତାବନି ଦେଇଛନ୍ତି । ଅନ୍ୟପଟେ ଜାମ୍ମୁ କାଶ୍ମୀରର ସୋଫିଆନ ଅଞ୍ଚଳରେ ସେନା ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୩ ଲସ୍କର ଆତଙ୍କୀ । ସେପଟେ ପଦାରେ ପଡିଛି ପାକିସ୍ତାନ ମିଛ । 

ଭାରତ ପାକିସ୍ତାନ ଯୁଦ୍ଧବିରତି ଭିତରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କ ମନୋବଳ ବଢାଇଛନ୍ତି । ଯବାନଙ୍କ ସହ  ଘଣ୍ଟାଏ ସମୟ ବିତାଇବା ପରେ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ମୋଦୀ କହିଛନ୍ତି, ଆତଙ୍କବାଦୀମାନେ ଯେଉଁ ପାକିସ୍ତାନ ସେନା ଭରସାରେ ରହୁଛନ୍ତି ଭାରତୀୟ ବାୟୁସେନା ସେହି ପାକିସ୍ତାନୀ ସେନାକୁ ଧୂଳିଚଟାଇ ଦେଇଛନ୍ତି, ଏବଂ ପାକିସ୍ତାନକୁ ଦେଖାଇଦେଇଛନ୍ତି ଯେ ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ଆତଙ୍କୀ ଶାନ୍ତିରେ ନିଶ୍ବାସ ମାରିପାରିବେ। ଯଦି ପୁଣି ଆତଙ୍କୀ ହମଲା ହୁଏ, ଭାରତ ସମ୍ବେଦନଶୀଳତାର ସହ ଜବାବ ଦେବ। 
ଆତଙ୍କୀଙ୍କ ପାଇଁ ‘ଅପରେସନ କେଲର’
            
ଗୋଟିଏ ପଟେ ଆତଙ୍କବାଦ ବିରୋଧରେ ମୋଦୀଙ୍କ ରଣହୁଙ୍କାର ଅନ୍ୟପଟେ ସେନା ଆରମ୍ଭ କରିଛି ଅପରେସନ କେଲର । ଜାମ୍ମୁ କାଶ୍ମୀରର ସୋଫିଆନ ଅଞ୍ଚଳରେ ଏନକାଉଣ୍ଟରରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ବ୍ୟାପକ ଗୁଳିବିନିମୟ ହୋଇଛି । ତିନି ଘଣ୍ଟାର ଅପରେସନରେ ତିନି ଆତଙ୍କୀଙ୍କୁ ନିପାତ କରିଛି ସେନା । କୁହାଯାଉଛି ଯେ ନିହତ ଆତଙ୍କବାଦୀମାନେ ଲସ୍କର-ଏ-ତୋଇବାର ସଦସ୍ୟ । କାଶ୍ମୀରର କୁଲଗାମରୁ ସର୍ଚ୍ଚ ଅପରେସନ ଆରମ୍ଭ କରି ସୋଫିଆନ ଅଞ୍ଚଳରେ ଥିବା ଘଂଚ ଜଙ୍ଗଲରେ ପହଞ୍ଚିଛନ୍ତି ଯବାନ । ସୋକାଲ କେଲର ଅଞ୍ଚଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ବେଳେ ଜାରି ରହିଛି ଅପରେସନ । ସେପଟେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଥିବାରୁ ସୀମାନ୍ତ ଅଞ୍ଚଳରେ ଲୋକଙ୍କ ଘରେ ବଙ୍କର ବନାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ।

ପଦାରେ ପଡିଲା ପାକିସ୍ତାନ ମିଛ
ପଞ୍ଜାବ ଆଦମପୁର ଏୟାରବେସ ଏବଂ ସେଠାରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ସୁଦର୍ଶନ ଚକ୍ରକୁ ପାକିସ୍ତାନର ଜେଏଫ-୧୭ ଯୁଦ୍ଧବିମାନ ଦ୍ବାରା ନଷ୍ଟ କରିଯାଇଥିବା ଦାବି କରୁଛି ପାକିସ୍ତାନ। ଆଉ ପ୍ରଧାନମନ୍ତ୍ରୀ ଆଜି ସେହି ଏୟାରବେସରୁ ଏସ-୪୦୦ ସମ୍ମୁଖରୁ ଅଭିଭାଷଣ ଦେଇ ପାକିସ୍ତାନର ମିଛକୁ ପଦାରେ ପକାଇଦେଇଛନ୍ତି । ସେପଟେ ଯୁଦ୍ଧବିରତି ଯୋଗୁ ପୁଞ୍ଛ ଆଦି ସମାନ୍ତ ଅଞ୍ଚଳରେ ଶାନ୍ତି ଫେରିଛି । ଯଦି ପାକିସ୍ତାନ ତରଫରୁ ବଡ଼ ଆକ୍ରମଣ ହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିଦ୍ଦେର୍ଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏସମ୍ପର୍କରେ ଆଜି ସିଡିଏସ୍ ଅନୀଲ ଚୌହାନ, ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ରାଜନାଥ ସିଂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe