କନକ ବ୍ୟୁରୋ: ମାସକ ତଳେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ଗସ୍ତ କରିଥିଲେ, ସେତେବେଳେ ପାଶ୍ଚାତ୍ୟ ଦେଶ ଭାରତକୁ ଆଡ଼ ଆଖିରେ ଦେଖିଥିଲା। ଆମେରିକା ମୋଦୀଙ୍କ ଗସ୍ତକୁ ସହଜରେ ଗ୍ରହଣ କରି ପାରିନଥିଲା। ଆଉ ଆଜି ଯେତେବେଳେ ମୋଦୀ ୟୁକ୍ରେନ୍ ଗସ୍ତ କରିଛନ୍ତି ସମସ୍ତ ଆଶା କରୁଛନ୍ତି ଯୁଦ୍ଧର ସମାଧାନ ବାହାରିବ।

Advertisment
  • ମୋଦୀଙ୍କୁ ୟୁକ୍ରେନରେ ଭବ୍ୟ ସ୍ୱାଗତ
  • ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଲେ ଜେଲେନସ୍କି
  • ମୋଦୀଙ୍କୁ ଦେଖି ଭାବୁକ ହେଲେ ଜେଲେନସ୍କି
  • ଯୁଦ୍ଧର କରୁଣ କାହାଣୀ ମନେ ପକାଇ ହେଲେ ଭାବବିହ୍ୱଳ

କିଭ୍ ସ୍ଥିତ ନ୍ୟାସନାଲ ମ୍ୟୁଜିଅମ୍ । ରୁଷିଆ ସହ ଅଢେଇ ବର୍ଷର ଯୁଦ୍ଧ ଭିତରେ ସବୁ କଠିନ ସ୍ମୃତି ଏଠାରେ ହିଁ ସାଇତା ହୋଇ ରହିଛି। ୟୁକ୍ରେନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଭେଟିଛନ୍ତି ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖି ଭାବୁକ ହୋଇ ପଡିଥିଲେ ଜେଲେନସ୍କି। କିଭଳି ଯୁଦ୍ଧରେ ନିରୀହ ଜୀବନ ବଳି ପଡ଼ିଛି ତାହାର ଚିତ୍ର ମୋଦୀଙ୍କୁ ଦେଖାଇ ଭାବବିହ୍ୱଳ ହୋଇପଡିଛନ୍ତି। ଆଉ ଜେଲେନସ୍କିଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଜଣାଇଛନ୍ତି ମୋଦୀ। ଖାଲି ସେତିକି ନୁହେଁ ଜେଲେନସ୍କିଙ୍କ କାନ୍ଧ ଉପରେ ହାତ ରଖି ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। 

କିଭରେ ମୋଦୀଙ୍କୁ ଦେଖି ବେଶ ଉତ୍ସାହିତ ଓ ଖୁସି ପ୍ରକାଶ କରିଛନ୍ତି ପ୍ରବାସୀ ଭାରତୀୟ ।ମୋଦୀ ମଧ୍ୟ ତାଙ୍କଠୁ ଅଭିବାଦନ ଗ୍ରହଣ କରି ସିଧା ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ପରେ ଫେମିନ ବଟନିକାଲ ଗାର୍ଡନରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ନ୍ୟାଶନାଲ ମ୍ୟୁଜିୟମ ବୁଲି ଦେଖିଥିଲେ । ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ। ଏହି ଯାତ୍ରା ଉପରେ ସମଗ୍ର ବିଶ୍ୱ ନଜର ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି।  

  • ଯୁଦ୍ଧ ଭିତରେ ମୋଦୀଙ୍କ କିଭ୍ ଗସ୍ତ
  • ସାରା ବିଶ୍ୱର ନଜର

ମୋଦୀଙ୍କ କିଭ୍ ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। କାରଣ ରୁଷିଆ-ୟୁକ୍ରେନ ଅଢେଇ ବର୍ଷର ଯୁଦ୍ଧ ଭିତରେ ପ୍ରଥମ ଥର ଯୁଦ୍ଧ ଗ୍ରସ୍ତ ୟୁକ୍ରେନ୍ ଗସ୍ତ କରିଛନ୍ତି ମୋଦୀ। ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରି ଯୁଦ୍ଧର ଭୟାବହତା ବିଷୟରେ ବୁଝିଛନ୍ତି। ଗତ ମାସ ମୋଦୀ ରୁଷିଆ ଗସ୍ତ କରିଥିଲେ। ସେତେବେଳେ ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରାଇଭେଟ୍ ଡିନରରେ ଯୋଗ ଦେଇଥିଲେ ମୋଦୀ। ଯାହାକୁ ନିନ୍ଦା କରିଥିଲା ପାଶ୍ଚାତ୍ୟ ଦେଶ। ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଟୁଇଟ୍ କରି କହିଥିଲେ, ଶାନ୍ତି ପାଇଁ ସ୍ୱର ଉଠାଉଥିବା ଜଣେ ରାଷ୍ଟ୍ରନେତା ଯୁଦ୍ଧ ଅପରାଧରେ ଲିପ୍ତ ରହୁଥିବା ନେତାଙ୍କୁ ଆଲିଙ୍ଗନ କରିବା କଥା ଗ୍ରହଣ କରି ହେଉନାହିଁ। ହେଲେ ଏବେ ମୋଦୀ ୟୁକ୍ରେନ୍ ଗସ୍ତ କରି ସେଠାରୁ ଦେଇଛନ୍ତି ଶାନ୍ତିର ବାର୍ତ୍ତା।

ରୁଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ସମୟ ଧରି ଲାଗି ରହିଛି ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରୁଛି ଭାରତ । ଏଥିପାଇଁ ଦୁଇ ମାସ ତଳେ ରୁଷ ଗସ୍ତ କରିଥିଲେ ପିଏମ ମୋଦୀ । ଏବେ ୟୁକ୍ରେନ ଗସ୍ତ କରି ଶାନ୍ତି ପ୍ରତିଷ୍ଠା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଭାରତ । ଏବେ ପ୍ରଶ୍ନ ଉଠୁଛି ମୋଦୀଙ୍କ ୟୁକ୍ରେନଗସ୍ତକୁ କିଭଳି ଦେଖିବ ରୁଷ । ଗତମାସରେ ରୁଷ ଯାଇଥିଲେ ମୋଦୀ ଓ କିଛି ଦିନ ନଯାଉଣୁ ୟୁକ୍ରେନଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ବିଶେଷଜ୍ଞଙ୍କ ମତରେ ପୁଟିନଙ୍କ ଚୀନଗସ୍ତ ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇନଥିଲା । ଏହି କ୍ରମରେ ରୁଷ ମଧ୍ୟ ଚୁପ ରହିବା ଠିକ ମନେ କରିପାରେ ।