କନକ ବ୍ୟୁରୋ: ଟାରିଫ୍ ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ୍ କଲେ ଆପ୍ ନେତା ଅରବିନ୍ଦ କେଜ୍ରିଓ୍ୱାଲ୍ । ମୋଦୀଙ୍କୁ ଶବ୍ଦ ତୀର ମାରିବା ସହିତ କେଜ୍ରିଓ୍ୱାଲ୍ କହିଛନ୍ତି, ମୋଦୀ ଜୀ ସାହସ ଦେଖାଇବା ଉଚିତ୍ ଆଉ ଆମେରିକା ଉପରେ ୭୫ ପ୍ରତିଶତ ଶୁଳ୍କ ଲଗାଇବା ଉଚିତ୍ । ତେବେ ରବିବାର ଅହମ୍ମଦାବାଦ-ରାଜକୋଟ ରାଜପଥର ପ୍ରଭୁ ଫାର୍ମରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ କେଜ୍ରିଓ୍ୱାଲ୍ । ଯେଉଁଠି ସେ କହିଥିଲେ, ଆମର କପା ଚାଷୀମାନେ ଋଣ ନେଇ କପା ଚାଷ କରିଥିଲେ, ଆଉ ଚାଷୀମାନେ ଆଶା କରୁଥିଲେ ଯେ ଯେତେବେଳେ ସେମାନେ ସେମାନଙ୍କର ଫସଲ ବଜାରକୁ ନେଇଯିବେ, ସେତେବେଳେ ସେମାନେ ଏହାର ଭଲ ମୂଲ୍ୟ ପାଇବେ । କିନ୍ତୁ କେନ୍ଦ୍ରରେ ବସିଥିବା ନରେନ୍ଦ୍ର ମୋଦିଙ୍କ ସରକାର ଅଗଷ୍ଟ ୧୯ ତାରିଖରେ ଆମେରିକୀୟ କପା ଉପରୁ ୧୧% ଆମଦାନୀ ଶୁଳ୍କ ହଟାଇ ଦେଇଥିଲେ । ଯାହାଫଳରେ ଏବେ ଆମେରିକୀୟ କପା ଶସ୍ତାରେ ବିକ୍ରି ହେବ । ଆଉ ଏବେ ଯେତେବେଳେ ଭାରତୀୟ ଚାଷୀମାନେ ବଜାରରେ ସେମାନଙ୍କର କପା ବିକ୍ରୟ କରିବାକୁ ଯିବେ, ଲୋକମାନେ ସେମାନଙ୍କ କପାକୁ ନ କିଣି ଆମେରିକାର କପା କିଣିବେ ।
ଏହାପରେ ଆପ୍ ମୁଖିଆ ଆହୁରି ମଧ୍ୟ କହିଛନ୍ତି ଯେ, ହୀରା କାରିଗରମାନେ ମଧ୍ୟ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସୁରଟରେ ଲକ୍ଷ ଲକ୍ଷ କାରିଗର ବେକାର ଏବଂ ବାସହୀନ ହୋଇଯାଇଛନ୍ତି । ଆମେରିକା ସରକାର ହୀରା ଉପରେ ମଧ୍ୟ ୫୦% ଶୁଳ୍କ ଲାଗୁ କରିଛନ୍ତି କିନ୍ତୁ ମୋଦୀ ସରକାର ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଆମେରିକାକୁ କୌଣସି ଉତ୍ତର ଦେଇନଥିଲେ । ତେଣୁ ମୋଦିଜୀ ସାହସ ଦେଖାଇବା ସହ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ୭୫% ଶୁଳ୍କ ଲାଗୁ କରନ୍ତୁ ବୋଲି କହିଛନ୍ତି କେଜ୍ରିଓ୍ୱାଲ୍ ।
ଏହାସହ ପୂର୍ବରୁ ସରକାର ଆମେରିକୀୟ କପା ଉପରୁ ଆମଦାନୀ ଶୁଳ୍କ ସେପ୍ଟେମ୍ବର ପର୍ଯ୍ୟନ୍ତ ହଟାଇ ଦେଇଥିଲେ ଏବଂ ଏବେ ଏହାକୁ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହାଫଳରେ ଏବେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କେଜ୍ରିଓ୍ୱାଲ୍ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗୁଜୁରାଟର ଅନେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟରେ, ଆମ ଆଦମୀ ପାର୍ଟି ରବିବାର ସୁରେନ୍ଦ୍ରନଗରର ଚୋଟିଲାରେ ଏହାର କିଷାନ ମହାପଞ୍ଚାୟତକୁ ସ୍ଥଗିତ ରଖିଛି । ଚୋଟିଲାର ନ୍ୟୁ ମାର୍କେଟିଂ ୟାର୍ଡରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳର ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଅନେକ ଦଳୀୟ ନେତା ଯୋଗ ଦେବାର ଆଶା କରାଯାଉଥିଲା ।