କନକ ବ୍ୟୁରୋ : ଆସନ୍ତାକାଲିଠୁ ମୋଦୀଙ୍କ ମାରାଥନ ଗସ୍ତ । ୪ଟି ରାଜ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଗସ୍ତରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ ଗସ୍ତ କରିବେ ମୋଦୀ । ଏଥିସହ ୬୯ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ମୋଦୀଙ୍କ ସିକିମ୍ ଯିବାର କାର୍ଯ୍ୟକ୍ରମ ରହିଛି । ସିକିମ୍ରେ ‘ସିକିମ୍୫୦’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ନମଚି ଜିଲ୍ଲାର ୭୫୦ କୋଟି ବ୍ୟୟରେ ନିର୍ମିତ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ ।
ଏହା ପରେ ସିକିମ୍ରୁ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । କୁଚ ବେହେର ଜିଲ୍ଲାରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିଦିନ ସେଠାରୁ ବିହାର ଗସ୍ତରେ ବାହାରିବେ ମୋଦୀ । ବିହାରରେ ୧୨୦୦ କୋଟି ଟଙ୍କାର ନୂଆ ଟର୍ମିନାଲର ଉଦଘାଟନ କରିବେ । ଏଥିସହ ୧୪୧୦ କୋଟି ଟଙ୍କାରେ ନିର୍ମିତ ବିହଟା ବିମାନବନ୍ଦରର ନୂଆ ସିଭିଲ ଏନ୍କ୍ଲେଭର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ବିହାରରେ ରାତ୍ରିଯାପନ କରିବେ । ୩୦ ତାରିଖ ୧୧ଟାରେ ପ୍ରଧାନମନ୍ତ୍ରୀ ବିହାର କର୍କାତ ଜିଲ୍ଲାରେ ୪୮ ହଜାର ୫୨୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।